ଅପରେସନ ପରେ ବି ଖାଉନି ଖାଦ୍ୟ, ମୃତ୍ୟୁ ସହ ସଂଗ୍ରାମ କରୁଛି ପାଞ୍ଚ ବର୍ଷର ହାତୀ ଛୁଆ

Jan 24, 2022 - 13:46
 55
ଅପରେସନ ପରେ ବି ଖାଉନି ଖାଦ୍ୟ, ମୃତ୍ୟୁ ସହ ସଂଗ୍ରାମ କରୁଛି ପାଞ୍ଚ ବର୍ଷର ହାତୀ ଛୁଆ
ଢେଙ୍କାନାଳ ୨୪।୦୧: ମୃତ୍ୟୁ ସହ ସଂଗ୍ରାମ କରୁଛି ହାତୀ ଛୁଆ । ଶିକାରୀ ମାନେ ବନ୍ୟଜନ୍ତୁ ଶିକାର ପାଇଁ ପକାଇଥିବା ବମ ଖାଇଦେବାରୁ ହାତୀ ଛୁଆର ଜୀବନ ଏବେ ସଂକଟରେ । ଓଏୟୁଟିର ସ୍ୱତନ୍ତ୍ର ବିଶେଷଜ୍ଞ ଡାକ୍ତର ହାତୀଛୁଆର ଅପରେସନ କରି ଯାଇଥିଲେ ମଧ୍ୟ ଖାଦ୍ୟ ଖାଉନଥିବାରୁ ଏହି ହାତୀଛୁଆର ଜୀବନ ଏବେ ସଂକଟରେ ପଡିଯାଇଛି । ଖବର ଅନୁଯାୟୀ, ଗତ ୧୦ ତାରିଖରେ ଗୁରୁତର ହୋଇ ହାତୀଟି ଦେଓଗଡ଼ ବନଖଣ୍ଡରୁ ଢେଙ୍କାନାଳ ବନଖଣ୍ଡକୁ ପ୍ରାଣ ବିକଳରେ ପଲାଇ ଆସିଥିଲା । ଏହାପରେ ୧୭ତାରିଖରେ ଏହି ଆହତ ହାତୀ ଛୁଆକୁ ଢେଙ୍କାନାଳ ବନ ବିଭାଗ ପକ୍ଷରୁ ମହାବିରୋଡ଼ ବନାଞ୍ଚଳର ଆମ୍ବପଳାଶ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ସାତକୋଶିଆରୁ ଡାକ୍ତରୀ ଦଳ ଡକାଇ ଏହି ହାତୀ ଛୁଆକୁ ଟ୍ରାଙ୍କୁଳାଇଜ କରି ଚିକିତ୍ସା ଲାଗି କପିଳାଶ ସ୍ଥିତ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରକୁ ନିଆଯାଇଥିଲା। । ତେବେ ପାଟିରେ ବମ୍‌ ଫୁଟି ଗୁରୁତର ଯୋଗୁଁ ହାତୀ ଛୁଆର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଏପରିକି ତାର ପାଟି ଭିତର ଖାଦ୍ୟ ନଳୀ କ୍ଷତ ବିକ୍ଷତ ଯୋଗୁଁ ଖାଦ୍ୟ ଖାଇବା ଅସମର୍ଥ ହୋଇପଡୁଛି । ଯାହାଫଳରେ ଓୟୁଟିର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଦଳ କପିଳାଶ ଯାଇ ହାତୀ ଛୁଆର ଅସ୍ତ୍ରପୋଚାର କରି ଫେରିଛନ୍ତି । ହାତୀ ଛୁଆଟି ଖାଦ୍ୟ ଖାଇ ପାରୁନଥିବାରୁ ପାଇପ ଯୋଗେ ଖାଦ୍ୟ ଦେବାକୁ ଚେଷ୍ଟା କରାଯାଉଛି । ଫଳରେ ଏବେ ତାର ଜୀବନ ସଂକଟରେ ପଡିଯାଇଛି । ଏପଟେ ପାଟି ଭିତରେ ବମ ଫୁଟିବା ଘଟଣାକୁ ଏଡାଇ କିଛି ସଂକ୍ରମଣ ଜନିତ ବୋଲି ଢେଙ୍କାନାଳ ବନ ବିଭାଗ କହିବା ବେଶ ଆଶ୍ଚର୍ଯ୍ୟ କରିଛି। ତେବେ ଅସ୍ତ୍ରୋପଚାର କରାଯାଇଥିବାରୁ ଖାଦ୍ୟ ଖାଇଲେ ହୁଏତ ହାତୀ ଛୁଆଟି ବଞ୍ଚିଯିବ ବୋଲି କହିଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ।