ଅପରାଜିତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା

Dec 1, 2018 - 18:25
 153
ଅପରାଜିତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା
ଭୁୁବନେଶ୍ୱର, ୧/୧୨(ସକାଳଖବର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ସରକାରୀ ପ୍ରୋତ୍ସାହିତ ଦୁର୍ନୀତି ଚରମ ସୀମାରେ ପହଂଚିଛି ବୋଲି ପୂର୍ବତନ ପ୍ରଶାସିକା ଅପରାଜିତା ଷଡଙ୍ଗୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରିବା ପାଇଁ ଆୟୋଜିତ ଏକ ସଭାରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୫ ମସିହାରେ ଓଡିଶାର ପିଡବଲ୍ୟୁଡି କୋଡକୁ ପରିବର୍ତନ କରାଯାଇ ୫୦ ହଜାର ବଦଳରେ ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ବି ସରକାରୀ କାମ ପାଇଁ ଟେଣ୍ଡର ନ ଡାକି ଇଚ୍ଛାମୁତାବକ ଦେବା ପାଇଁ ନବୀନ ସରକାର ବିଧିବଦ୍ଧ ନିୟମ ପ୍ରଣୟନ କରିଥିଲେ । ରାଜ୍ୟର ମୁଖ୍ୟମନ୍ତ୍ରୀ ଦୀର୍ଘ ସମୟ ଧରି ଜଳ ସମ୍ପଦ ଓ ପୂର୍ତ ବିଭାଗର ମନ୍ତ୍ରୀ ଭାବେ ତାଙ୍କର ପୌରହିତ୍ୟରେ ବିନା ଟେଣ୍ଡରରେ କାମ ବଂଟା ଯାଇଛି । ରାଜ୍ୟର ବିଭିନ୍ନ ବିଭାଗ ବିନା ଟେଣ୍ଡରରେ ନିଜର ବଚସ୍କର ମାନଙ୍କୁ ପିସି ନେବାର ବାଟ ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ଅଣ ଯୋଜନା ବଜେଟରେ ବାର୍ଷିକ ଦଶ ହଜାର କୋଟି ଟଙ୍କାର କାମ ବିନା ଟେଣ୍ଡରରେ ଦଳୀୟ କର୍ମୀ ମାନଙ୍କୁ ବାଂଟି ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭାଷାରେ ଓଡିଶାର ଲୋକ ମାନେ ପିସିରେ ପେସି ହେଉଛନ୍ତି । ଏହା କଣ ମୁଖ୍ୟମନ୍ତ୍ରୀଙ୍କ ଥ୍ରି ଟି କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ବିନା ଟେଣ୍ଡରରେ କାମ ଦେବା ଟେକ୍ନୋଲଜି ଓ ଟ୍ରାନସପରେନ୍ସିର ଟିମ ବାର୍କ କି ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ଢେଙ୍କାନାଳ ଜିଲ୍ଲାରେ ବିୟର ଫ୍ୟାକ୍ଟ୍ରି ପାଇଁ ସୁଇଚ ଟିପି ଶୁଭ ଦେଇଥିଲେ ମୁଖ୍ୟମନ୍ତ୍ରୀ । ରାତି ଅଧିଆ ଗଛ କଟାର ମା ଭଉଣୀଙ୍କ ଦୃଢ ବିରୋଧ ଓ ଛି ଛି ପରେ ଆରଡିସି ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଗଛ କଟା ବନ୍ଦ କରି ଦିଆ ଯାଇଛି ବୋଲି କହିଲେ । ଏହା କଟା ଘା ରେ ଚୁନ ଦେଲା ଭଳିା ଢେଙ୍କାନାଳର ବେଲଟିକିରିରେ ଏସପି, କଲେକ୍ଟରଙ୍କ ଅଫିସରୁ ଦଶ କିମି ଦୂରରେ ଅନାଥାଶ୍ରମରେ ବ୍ୟଭିଚାର ପରେ ରାଜ୍ୟର ମନ୍ତ୍ରୀ କହୁଛନ୍ତି ଏହା ଚଲାଇବା ପାଇଁ ସରକାରର ଅନୁମତି ନାହିଁ । ଢେଙ୍କାନାଳ ଜିଲ୍ଲାର ଏହି ଦୁଇଟି ଘଟଣା ମୁଖ୍ୟମନ୍ତ୍ରୀଙ୍କ ଶ୍ରେଷ୍ଠ ପ୍ରଶାସକଙ୍କ ଅହଂକାରର ମୁଖା ଖୋଲି ଦେଉଛି କି ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।