ଇତିହାସ ରଚିଲା ଏସ୍ସିବି ମେଡିକାଲ: ସ୍ତ୍ରୀ ଦେଲେ ସ୍ବାମୀଙ୍କୁ ନୂଆ ଜୀବନ
ପୂର୍ବ ଭାରତରେ ପ୍ରଥମ, ସମ୍ପୂର୍ଣ୍ଣ ମାଗଣା ଲିଭର ପ୍ରତିରୋପଣ

ସକାଲ ଖବର : କଟକ: ରାଜ୍ୟ ଚିକିତ୍ସା ବିଜ୍ଞାନରେ ନୂଆ ଇତିହାସ ଯୋଡିଛି ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ସମଗ୍ର ପୂର୍ବ ଭାରତରେ ସରକାରୀ ବ୍ୟବସ୍ଥାରେ ସଂପୂର୍ଣ୍ଣ ମାଗଣାରେ ଲିଭର ପ୍ରତିରୋପଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରଥମ ବୋଲି କୁହାଯାଉଛି। ତିଗିରିଆର ଜଣେ ରୋଗୀଙ୍କଠାରେ ଆଜି ସଫଳତାର ସହ ଲିଭର ପ୍ରତିରୋପଣ ସମ୍ଭବ ହୋଇଛି। ସ୍ତ୍ରୀଙ୍କର ଲିଭର ସ୍ବାମୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପିତ ହୋଇଛି। ଲିଭର ପ୍ରତିରୋପଣ ପରେ ଭଭୟ ସ୍ବାମୀ-ସ୍ତ୍ରୀ ସୁସ୍ଥ ଥିବା କୁହାଯାଉଛି। ଉଭୟଙ୍କୁ କିନ୍ତୁ ଅନୁଧ୍ୟାନ ପାଇଁ ଆଇସିୟୁରେ ରଖାଯାଇଥିବା ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଗତକାଲିଠାରୁ ହାଇଦ୍ରାବାଦ୍ସ୍ଥିତ ଏଆଇଜିର ଟିମ୍ ଓ ଏସ୍ସିବିର ଡାକ୍ତରମାନଙ୍କ ମିଳିତ ଉଦ୍ୟମରେ ଏହି ପ୍ରତିରୋପଣ ସମ୍ଭବ ହୋଇପାରିଛି। ଦୀର୍ଘ ୧୨ବର୍ଷ ଧରି ଲିଭର ପ୍ରତିରୋପଣ କ୍ଷେତ୍ରରେ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାହାର ଅନ୍ତ ଘଟିଛି।