୨୨ରୁ ବିଧାନସଭା ଆରମ୍ଭ

Sep 1, 2023 - 05:54
 15
୨୨ରୁ ବିଧାନସଭା ଆରମ୍ଭ
ଭୁବନେଶ୍ୱର:ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭାର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ଦିବସରେ ୨୦୨୩-୨୪ ଆର୍ଥିକବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‌ ଆଗତ ହେବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି। ଅକ୍ଟୋବର ୩ ତାରିଖରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ ହେବ। ଅଧିବେଶନ ପୂର୍ବରୁ ବିଧାନସଭାରେ ଖାଲିି ପଡ଼ିଥିବା ବାଚସ୍ପତି ପଦବୀ ପାଇଁ ସେପ୍ଟେମ୍ବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ବାଚସ୍ପତି ନିର୍ବାଚନ ପାଇଁ ୧୮ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ ହେବ। ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ପଦ ଖାଲିପଡ଼ିଛି। କିଏ ବାଚସ୍ପତି ହେବେ ଓ କେବେ ନିର୍ବାଚନ ହେବ ତାକୁ ନେଇ ଗତ କିଛି ମାସ ଧରି କଳ୍ପନାଜଳ୍ପନା ଜାରି ରହିଥିଲା । ବାଚସ୍ପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଏହାର ଅନ୍ତ ଘଟିଛି। ଏଠାରେ ସୂଚନାଯୋଗ୍ୟ, ଗତ ମେ’ ୧୨ ତାରିଖରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ମେ’ ୨୨ ତାରିଖରେ ସେ ଅର୍ଥ ବିଭାଗ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ପୂର୍ବରୁ ଅର୍ଥ ବିଭାଗ ନିରଞ୍ଜନ ପୂଜାରୀଙ୍କ ହାତରେ ଥିଲା। ନିରଞ୍ଜନ ପୂଜାରୀ ଏବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ୨୦୨୨ ଜୁନ୍‌ରେ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ଆସନରେ ବିକ୍ରମ କେଶରୀ ଆରୁଖ ବସିଥିଲେ। ତେବେ ବାଚସ୍ପତି ପଦବୀ ପାଇଁ ତାରିଖ ଘୋଷଣା ହେବା ପରେ ଏହି ପଦବୀରେ କିଏ ବସିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବାଚସ୍ପତି ଦୌଡ଼ରେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ନୃସିଂହ ଚରଣ ସାହୁ, ଦେବୀ ମିଶ୍ର ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଆଗରେ ରହିଛି । ମୁଖ୍ୟମନ୍ତ୍ରୀ କାହା ମୁଣ୍ଡରେ କଳସ ଢାଳିବେ ତାହା ସେପ୍ଟେମ୍ବର ୧୮ ତାରିଖ ସୁଦ୍ଧା ସ୍ପଷ୍ଟ ହେବ।