ସିଟି ହସ୍ପିଟାଲ: ଦୁର୍ଗନ୍ଧରେ ଫାଟୁଛି ଶୌଚାଳୟ

Jun 15, 2018 - 18:44
 175
କଟକ, ୧୬ା୬/(ସକାଳଖବର): କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ସିଟି ହସ୍ପିଟାଲ)ରେ ରୋଗୀ ତଥା ସମ୍ପର୍କୀୟମାନଙ୍କ ଶୌଚ ଓ ପରିସ୍ରା କରିବା ନିମନ୍ତେ ଶୌଚାଳୟ ନିର୍ମାଣ କରାଯାଇଛି । କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ତାହା ବ୍ୟବହାର ଅନୁପଯୋଗୀ ହୋଇପଡୁଛି । ଏପରିକି ସେଥିରୁ ଦୁର୍ଗନ୍ଧ ବାହାରୁଥିବାରୁ ସେହିବାଟଦେଇ ଚଳପ୍ରଚଳ କରିବାରେ ସମସ୍ୟା ଦେଖାଦେଉଛି । ସିଟି ହସ୍ପିଟାଲର ସର୍ଜରୀ ୱାର୍ଡକୁ ଯିବା ବାରଣ୍ଡା ନିକଟରେ ଆଉଟ୍ଡୋର ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ନିମନ୍ତେ ରହିଛି ୩ଟି ଶୌଚାଳୟ । ସେଥିରୁ ୨ଟି ଶୌଚାଳୟରେ ତାଲା ଝୁଲୁଛି । ସେଗୁଡିକ ହସ୍ପିଟାଲର କର୍ମଚାରୀମାନଙ୍କ ପାଇଁ ମହଜୁଦ ରହିଥିବା କୁହାଯାଉଛି । ମାତ୍ର ଗୋଟିଏ ଶୌଚାଳୟ ରୋଗୀଙ୍କ ନିମନ୍ତେ ଖୋଲା ରହୁଛି । ଏହା ଆଉଟଡୋର ରୋଗୀଙ୍କ ନିମନ୍ତେ ହୋଇଥିବାବେଳେ ଜରୁରୀକାଳୀନ ସମୟରେ ଇନଡୋର ରୋଗୀମାନେ ମଧ୍ୟ ବ୍ୟବହାର କରୁଛନ୍ତି । ତେବେ ଅଧିକାଂଶ ସମୟରେ ସେଠାକାର ଟ୍ୟାପରେ ଜଳ ଯୋଗାଣ ହେଉନାହିଁ । ଫଳରେ ଶୌଚ ଯାଉଥିବା ଲୋକମାନେ ହଇରାଣ ହରକତ ହେଉଛନ୍ତି । ସେମାନେ ଶୌଚ କରିବାପରେ ପାଣି ନଢାଳି ଚାଲିଯାଉଛନ୍ତି । ଏହାଦ୍ୱାରା ପ୍ରବଳ ଦୁର୍ଗନ୍ଧ ହେଉଥିବାରୁ ସେହି ବାଟଦେଇ ଯିବାଆସିବା କରିହେଉନାହିଁ ।