ଯୁବକ ନୀଳଚକ୍ର ବାନା ଛିଣ୍ଡାଇଲା , ବାନ୍ଧିଲା ଗାମୁଛା

Apr 22, 2019 - 13:28
 149
ପୁରୀ, ୨୦/୪(ସକାଳଖବର): ଶନିବାର ପୂର୍ବାହ୍ନରେ ଶ୍ରୀମନ୍ଦିର ଚୂଳକୁ ଚଢି ଜଣେ ଯୁବକ ନୀଳଚକ୍ରରୁ ବାନା ଛିଣ୍ଡାଇ ଆଣିଥିଲା । ଶ୍ରୀମନ୍ଦିରର ବିମଳାଙ୍କ ମନ୍ଦିର ପଟେ ମରାମତି ପାଇଁ ବନ୍ଧା ଯାଇଥିବା ଲୁହା ପାଇପରେ ଚଢି ସେ ନୀଳଚକ୍ର ପର୍ଯ୍ୟନ୍ତ ଯାଇଥିଲା । ନୀଳଚକ୍ରରୁ କେତେକ ବାନା ଛିଣ୍ଡାଇ ଅଂଟାରେ ଖୋସିଥିଲା ଓ ନୀଳଚକ୍ରରେ ଏକ ପୁରୁଣା ଗାମୁଛା ବାନ୍ଧି ଓହ୍ଲାଉଥିବା ସମୟରେ ଜଣେ ସେବକଙ୍କ ଦୃଷ୍ଟିଗୋଚର ହୋଇଥିଲା । ଜେଟିପି ପୁଲିସ ଓ ସିଂହଦ୍ୱାର ପୁଲିସ ଯୁବକକୁ ଧରି ଥାନାରେ ଅଟକ ରଖିଛନ୍ତି । ଯୁବକର ନାମ ହାତିଆ ମହନ୍ତ ଓ ଘର ଭଦ୍ରକରେ ବୋଲି ଜଣାପଡିଛି । ସମ୍ପୃକ୍ତ ଯୁବକ ମନ୍ଦିର ଚୂଳକୁ ଚଢିବା ସମୟରେ କିପରି ଏହା ଶ୍ରୀମନ୍ଦିର ସୁରକ୍ଷା ଦାୟୀତ୍ୱରେ ଥିବା ପୁଲିସ ଅଧିକାରୀଙ୍କ ଦୃଷ୍ଟିକୁ ଆସିନଥିଲା ତାହା ଏବେ ଆଲୋଚନାର ବିଷୟ ହୋଇଛି । ଏସିଆର ବୃହତମ ଥାନା ସିଂହଦ୍ୱାର ହୋଇଥିବାରୁ ଏତେ ସଂଖ୍ୟକ ପୁଲିସ ଥାଇ ମଧ୍ୟ କିପରି ଯୁବକ ଜଣକ ଏତେବାଟ ଚଢିଲା ତାକୁ ନେଇ ଭକ୍ତ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ କିଛିବର୍ଷ ଧରି ଶ୍ରୀମନ୍ଦିରରେ ବିଭିନ୍ନ ଅଘଟଣ ସହ ଚୋରି ବୃଦ୍ଧି ପାଉଥିବାରୁ ଏହା ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାରେ ଅଟକ ଥିବା ଯୁବକକୁ ସିଂହଦ୍ୱାର ଥାନା ପୁଲିସ ପଚରା ଉଚରା ଜାରି ରଖିଛି । ପ୍ରକାଶ ଥାଉ କି, ଗତ କିଛି ଦିନ ତଳେ ଶ୍ରୀମନ୍ଦିର ପରିସରରେ ଥିବା ରାମ ମନ୍ଦିର ଓ ସୁଆର ନିଯୋଗରୁ ଚୋରି ହୋଇଥିଲା । ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଢ଼ିଲା ଥିବାରୁ ଏଭଳି ଘଟୁଛି ବୋଲି ଭକ୍ତମାନେ ଅଭିଯୋଗ କରିଛନ୍ତି ।