ମହିଳା ଆୟୋଗଙ୍କ ନିକଟରେ ପଡି ରହିଛି ୭ହଜାର ମାମଲା

Sep 7, 2018 - 18:35
 198
ମହିଳା ଆୟୋଗଙ୍କ ନିକଟରେ ପଡି ରହିଛି ୭ହଜାର ମାମଲା
ଭୁବନେଶ୍ୱର,୭/୯ (ସକାଳଖବର): ରାଜ୍ୟ ମହିଳା ଆୟୋଗଙ୍କ ଠାରେ ୭,୬୬୮ ଗୋଟି ମାମଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଚାରଧୀନ ରହିଛି । ବିଗତ ୩ ବର୍ଷରେ ସେଥିମଧ୍ୟରୁ ୧୧,୦୯୩ ଗୋଟି ମାମଲା ଫଇସଲା ହୋଇଛି । ବକେୟା ଥିବା ୭,୬୬୮ ଗୋଟି ମାମଲା ସମାଧାନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣକରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ପ୍ରକାଶ କରିଛନ୍ତି । ବିଧାୟିକା ଡା ରାସେଶ୍ୱରୀ ପାଣିଗ୍ରାହୀଙ୍କର ଏସମ୍ପର୍କିତ ପ୍ରଶ୍ନର ଉତରରେ ମନ୍ତ୍ରୀ ଜଣାଇଛନ୍ତି ଯେ ପକ୍ଷମାନଙ୍କୁ ଡକାଯାଇ ସତ୍ୟାସତ୍ୟ ନିରୂପଣ କରାଯାଇ ସେଗୁଡିକର ଆଶୁ ସମାଧାନ ନିମନ୍ତେ ପଦକ୍ଷେପ ତଥା ବିଭାଗୀୟ କର୍ତୃପକ୍ଷଙ୍କ ଠାରୁ ରିପୋର୍ଟ ତଲବ କରିବା ସଙ୍ଗେ ସଙ୍ଗେ ସରଜମିନ୍ ତଦନ୍ତ କରାଯାଇ ସେଗୁଡିକର ଆଶୁ ଫଇସଲା କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟ ମହିଳା ଆୟୋଗ ତରଫରୁ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ଠାରେ ଶିବିର ଅଦାଲତ ମାନ ଆୟୋଜନ କରି ଆବେଦନକାରୀ ମହିଳାମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ପ୍ରଚେଷ୍ଟା କରାଯାଉଛି ବୋଲି ମନ୍ତ୍ରୀ ତାଙ୍କ ଉତରରେ ଉଲ୍ଲେଖ କରିଛନ୍ତି ।ଭଦ୍ରକ ଜିଲ୍ଲାରେ ସର୍ବାଧିକ ୬୩୮ଟି କେସ୍ ବିଚାରଧୀନ ରହିଥିବା ବେଳେ ନୂଆପଡାରେ ସର୍ବନିମ୍ନ ୩୬ଟି ଓ ଝାରସୁଗୁଡାରେ ୪୨ଟି ମାମଲା ରହିଛି ।