ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଇଁ ବ୍ୟୟ ହେବ ୧୯୬ କୋଟି

Nov 18, 2018 - 18:10
 148
ଭୁବନେଶ୍ୱର, ୧୮/୧୧ (ସକାଳଖବର): ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ରାଜ୍ୟ ସରକାର ବଜେଟ୍ରେ ୧୯୬ କୋଟି ଟଙ୍କାର ବ୍ୟୟବରାଦ କରିଥିବା ବେଳେ ବିଭିନ୍ନ ବିଭାଗ ଦ୍ୱାରା ପରବର୍ତୀ ସମୟରେ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା କରାଯିବ । ଅଳସନ୍ତାବର୍ଷ ମହାତ୍ମାଗାନ୍ଧୀଙ୍କ ସ୍ମୃତିରେ ରାଜ୍ୟ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଲାଗି ପ୍ରସ୍ତାବ ରହିଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତରରେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦେଇଥିବା ବିସ୍ତୃତ ତଥ୍ୟରୁ ଏହା ଜଣାପଡ଼ିଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ୭୫ ଜଣିଆ କମିଟି ଗଠନ କରାଯାଇଛି । ଏଥିରେ ବିରୋଧୀ ଦଳ ନେତା, ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ୧୫ ଜଣ ମନ୍ତ୍ରୀ, ମୁଖ୍ୟ ସଚେତକଙ୍କ ସମେତ ୧୫ ଜଣ ବିଧାୟକ, ୪ ଜଣ ସାଂସଦ, ଜଣେ ପୂର୍ବତନ ମନ୍ତ୍ରୀ, ୨ ଜଣ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ୨ ଜଣ ପୂର୍ବତନ ବିଧାୟକ, ୨୪ ଜଣ ବେସରକାରୀ ବ୍ୟକ୍ତି, ୫ଟି ସଙ୍ଗଠନ ସଦସ୍ୟ ଅଛନ୍ତି । ସଂସ୍କୃତି ବିଭାଗ ଶାସନ ସଚିବ ଏହାର ସଦସ୍ୟ ଆବାହକ ଥିବା ବେଳେ ନିଦେ୍ର୍ଧଶକ ଯୁଗ୍ମ ଆବାହକ ରହିଛନ୍ତି । ଏହି କମିଟିର ପ୍ରଥମ ବୈଠକ ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତବ ଗ୍ରହଣ କରାଯାଇଛି । ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ୮ ଜଣିଆ ପ୍ରଶାସନିକ କମିଟି ଗଠନ କରାଯାଇଥିଲା ବେଳେ ୩୦ଟି ଯାକ ଜିଲ୍ଲାରେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ରୂପାୟନ କମିଟି ଗଢ଼ାଯାଇଛି । କାର୍ଯ୍ୟକ୍ରମ ରୂପାୟନ ପାଇଁ ୫୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଥିବା ମନ୍ତ୍ରୀ ଦେଇଥିବା ତାଲିକାରୁ ଜଣାପଡ଼ିଛି । ଗାନ୍ଧୀଜୀଙ୍କ ବିଚାର ଓ ଆଦର୍ଶକୁ ଗାଁରୁ ରାଜଧାନୀ ଓ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପହଂଚାଇବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି । ଏହାଛଡ଼ା ରାଜଧାନୀର ଏକ ପ୍ରମୁଖ ସ୍ଥାନରେ ଭବନ ଓ ସ୍ମୃତିସ୍ତମ୍ଭ ପ୍ରତିଷ୍ଠା, ବିଭିନ୍ନ ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ ସଡ଼କକୁ ଗାନ୍ଧୀ ମର୍ଗ ନାମରେ ନାମିତ କରିବା, ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟକୁ ବ୍ୟାପକ କରିବା ସହିତ ପ୍ରତି ବ୍ଲକ୍ରେ ଆଦର୍ଶ କସ୍ତୁରବା ଗ୍ରାମ ପଂଚାୟତ ପ୍ରତିଷ୍ଠା, ଗାନ୍ଧୀ ସ୍ମାରକୀ ନିର୍ମାଣ ଓ ସାହିତ୍ୟର ପ୍ରସାର, ଗାନ୍ଧୀଜୀ ଓ ସ୍ୱାଧୀନତା ସଂଗ୍ରାମ ଉପରେ ଆଧାରିତ କବିତା, ଗଳ୍ପ ଓ ପ୍ରବନ୍ଧ ଆଦିର ସଙ୍କଳନ, ଗାନ୍ଧୀ ଚଳଚ୍ଚିତ୍ରର ଓଡ଼ିଆ ଭାଷାନ୍ତର, ଗାନ୍ଧୀ ଜୟନ୍ତୀ ପାଳନର ଲୋଗୋ ପ୍ରସ୍ତୁତି, ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଆଦିରେ ଗାନ୍ଧୀଜୀଙ୍କ ଫଟୋଚିତ୍ର ସ୍ଥାପନ ଆଦି ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସରକାର ପ୍ରସ୍ତାବ ରଖିଛନ୍ତି ।