ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ସଂକଳ୍ପ ପ୍ରସ୍ତାବ
ଭୁୁବନେଶ୍ୱର, ୨୦/୧୧ (ସକାଳକବର): ବିଧାନସଭା ଏବଂ ପାର୍ଲାମେଂଟରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବାପାଇଁ ସଂସଦକୁ ସୁପାରିଶ କରିବାପାଇଁ ବିଧାନସଭାରେ ଏକ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଏକ ସଂକଳ୍ପ ଆଗତ କରିଥିଲେ । ସର୍ବ ସମ୍ମତି କ୍ରମେ ଉକ୍ତ ସଂକଳ୍ପ ଗୃହୀତ ହୋଇଯାଇଛି । ଏହା ଉପରେ ହୋଇଥିବା ଆଲୋଚନାରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ । ସଂକଳ୍ପ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ସଭ୍ୟ ତାରା ବାହିନୀପତି କହିଥିଲେ ଯେ ୍ରଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ସଂକଳ୍ପ ଅଣାଯାଇଛି । ରାଜ୍ୟରେ ନାରୀ ନିର୍ଯାତନା , ନାବାଳିକା ଦୁଷ୍କର୍ମ , ଯୌତୁକ ନିର୍ଯାତନା ବଢି ବଢି ଚାଲିଛି । , ମାକୁ ସମ୍ମାନ , ଗାଁକୁ କାମ ଦେବାକୁ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ସ୍ଲୋଗାନ ସଫଳ ହୋଇନାହିଁ । ମୁଖ୍ୟମନ୍ତ୍ରୀ ଆଣିଥିବା ସଂକଳ୍ପ ଅନୁଯାୟୀ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଉଭୟ ବିଧାନସଭା ଓ ପାର୍ଲାମେଂଟରେ କରିବାପାଇଁ କେନ୍ଦ୍ର ସରକାର ଯଦି ଅନୁମତି ନଦେବେ ଓଡିଶାରେ ରାଜ୍ୟ ସରକାର ଏହି ବ୍ୟବସ୍ଥା କରିବେ କି ବୋଲି ସେ ପ୍ରଶ୍ନ କରିଥିଲେ । ଲୋକଙ୍କୁ ଦେଖାଇବାପାଇଁ ଏହି ସଂକଳ୍ପ ଅଣାଯାଇ ନାହିଁ ତ ବୋଲି ସେ ପ୍ରଶ୍ନ କରିଥିଲେ ।
ଶାସକ ଦଳ ପକ୍ଷରୁ ଆଲୋଚନା କରି ବିଧାୟିକା ପ୍ରମିଳା ମଲ୍ଲିକ କହିଥିଲେ ଯେ ଏହା ଏକ ଐତିହାସିକ ସଂକଳ୍ପ । ଓଡିଶାର ଜନସଂଖ୍ୟାର ୫୦ ପ୍ରତିଶତ ମହିଳା ଅଛନ୍ତି । ସେମାନଙ୍କୁ ସାମାଜିକ , ଅର୍ଥନୈତିକ ଓ ରାଜନୈତିକ ଅଧିକାର ଦେବା ସହିତ ସଶକ୍ତ କରାଯିବା ସଂକଳ୍ପର ମୂଳ ଉଦେ୍ଧଶ୍ୟ । ସ୍ୱର୍ଗତ ବିଜୁ ପଟ୍ଟନାୟକ ମହିଳାଙ୍କ ପାଇଁ ପୌର ସଂସ୍ଥା ଓ ପଂଚାୟତ ବ୍ୟବସ୍ଥାରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ନବୀନ ପଟ୍ଟନାୟକ ଏହାକୁ ୫୦ ପ୍ରତିଶତ କରିଛନ୍ତି ।
ବିଜେପି ସଭ୍ୟ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସଂରକ୍ଷଣ ବ୍ୟବସ୍ଥା ସଂକଳ୍ପକୁ ସମର୍ଥନ କରୁଛନ୍ତି । ମୋଦି ତାଙ୍କ ଶାସନର ପ୍ରଥମ ବର୍ଷରେ ମହିଳା ସଂରକ୍ଷଣ ବିଲ୍ ଆଣିଥିଲେ । ମାତ୍ର ଏହି ବିଲ୍ ଲୋକସଭାରେ ପାସ୍ ହୋଇଥିବା ବେଳେ ରାଜ୍ୟସଭାରେ ପାସ୍ ହୋଇପାରିନାହିଁ । ନିର୍ବାଚନ ଅବ୍ୟବହିତ ପୂର୍ବରୁ ଏହି ସଂକଳ୍ପ ନଆଣି ଆଗରୁ ଆଣିଥିଲେ ଭଲ ହୋଇଥାନ୍ତା । ପଦ୍ମନାଭ ବେହେରା ଓ ରାସେଶ୍ୱରୀ ପାଣିଗ୍ରାହୀ କହିଥିଲେ ଯେ ୩୩ ପ୍ରତିଶତ ସଂରକ୍ଷଣ ବଦଳରେ ୫୦ ପ୍ରତିଶତ ହେବା ଦରକାର । ବେଦ ପ୍ରକାଶ ଅଗ୍ରୱାଲ , ଅମର ପ୍ରସାଦ ଶତପଥୀ କହିଥିଲେ ଯେ ମହିଳା ସଶକ୍ତ ନହେବା ପର୍ଯ୍ୟନ୍ତ ରାଜ୍ୟର ବିକାଶ ହୋଇପାରିବ ନାହିଁ । ରବି ନାୟକ ଓ ମହେଶ ସାହୁ କହିଥିଲେ ଯେ କନ୍ୟାଶ୍ରମ ଓ ଆଶ୍ରମ ସ୍କୁଲରେ ପୁରୁଷ କର୍ମଚାରୀଙ୍କ ବଦଳରେ ମହିଳାଙ୍କୁ ନିଯୁକ୍ତି ଦିଆଯାଉ ।
ଆଲୋଚନାର ଉତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଆଜି ସାରା ଦେଶକୁ ତାର ଦୃଢ ସଂକଳ୍ପ ଓ ପ୍ରତିବଦ୍ଧତା ଜଣାଇଦେବାକୁ ଚାହେଁ ଯେ ଓଡିଶା ମାଟିରେ ମହିଳାମାନେ ହେଉଛନ୍ତି ପ୍ରକୃତରେ ସଶକ୍ତ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଭୂମିକା ସଫଳ ଭାବେ ନିର୍ବାହ କରିପାରୁଛନ୍ତି ।
ତାଙ୍କ ସରକାର ନିଷ୍ଠାର ସହିତ ମହିଳାମାମନଙ୍କର ବିକାଶ ବିଶେଷ କରି ସାମାଜିକ ଓ ଅର୍ଥନୈତିକ ସ୍ଥିତି ସଶକ୍ତ କରିବାପାଇଁ ପଦକ୍ଷେପ ନେଇଛି । ମିଶନ ଶକ୍ତି , ମମତା ,୧ ପ୍ରତିଶତ ସୁଧରେ ଋଣ ଦେବା , ମହିଳାମାନଙ୍କର ଜମି ଅଧିକାର , ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ୁ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମାର ବ୍ୟବସ୍ଥା କରିଛନ୍ତି । ସମ୍ବିଧାନରେ ଲିଙ୍ଗଗତ ସମାନତା ନୀତି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ରୂପେ ସ୍ଥାନିତ ହୋଇଛି । ମହିଳା ସଶକ୍ତକରଣର ଅଗ୍ରଦୂତ ବିଜୁ ପଟ୍ଟନାୟକ । ୨୦୦୧ରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଦ୍ୱାରା ୬ ଲକ୍ଷ ଗୋଷ୍ଠୀର ୭୦ ଲକ୍ଷ ମହିଳା ଓଡିଶାର ସାମାଜିକ ଓ ଅର୍ଥନୈତିକ ପରିବର୍ତନ ଆଣିଛନ୍ତି ।
ଏହି ପ୍ରସ୍ତାବକୁ ସମର୍ଥନ କରିବା ସହ ସର୍ବ ସମ୍ମତ କ୍ରମେ ପାରିତ କରିବାକୁ ଗୃହର ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।