ମ୍ୟାଲେରିଆ ନିରାକରଣରେ ଓଡିଶା ମଡେଲ

Nov 20, 2018 - 19:29
 162
ଭୁୁବନେଶ୍ୱର,୨୦/୧୧ (ସକାଳଖବର): ମ୍ୟାଲେରିଆ ହ୍ରାସ କ୍ଷେତ୍ରରେ ଓଡିଶା ସରକାରଙ୍କ ଯୋଜନା ଏବେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୧୮ ବିଶ୍ୱ ମ୍ୟାଲେରିଆ ରିପୋର୍ଟରେ ଓଡିଶାରେ ମ୍ୟାଲେରିଆ ନିରାକରଣକୁ ଉଚ୍ଚ ପ୍ରଶଂସା କରାଯାଇଛି । ଭାରତରେ ମ୍ୟାଲେରିଆ ମୁକାବିଲା କ୍ଷେତ୍ରରେ ଓଡିଶା ରୋଲ୍ ମଡେଲ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ଲୋବାଲ ମ୍ୟାଲେରିଆ କାର୍ଯ୍ୟକ୍ରମ ନିଦେ୍ର୍ଧଶକ ଡକ୍ଟର ପେଡ୍ରୋ ଆଲନ୍ସୋ ରିପୋର୍ଟ ଉନ୍ମୋଚନ ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୦୦ ମସିହା ବେଳକୁ ଦେଶର ଏହି ପୂର୍ବାଂଚଳ ରାଜ୍ୟ ଥିଲା ମ୍ୟାଲେରିଆ ପ୍ରବଣ । ଦେଶର ୪୦ ପ୍ରତିଶତ ମ୍ୟାଲେରିଆ ରୋଗୀ ଓଡିଶାରେ ଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ସଫଳ ପଦକ୍ଷେପ ଯୋଗୁଁ ରାଜ୍ୟରେ ମ୍ୟାଲେରିଆ ଏକ ପ୍ରକାର ନିପାତ ସ୍ଥିତିକୁ ଆସିଯାଇଛି । ସୂଚନା ଅନୁଯାୟୀ ୨୦୧୪ ମସିହାରେ ରାଜ୍ୟରେ ପାଖାପାଖି ୪ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୮୯ଜଣଙ୍କର ମୃତୁ୍ୟ ଘଟିଥିଲା । ମୃତୁ୍ୟସଂଖ୍ୟା କମି କମି ଗତବର୍ଷ ୨୪ରେ ପହଂଚି ଥିବାବେଳେ ଚଳିତବର୍ଷ ଅକ୍ଟୋବରମାସ ମଧ୍ୟରେ ରାଜ୍ୟରେ ମାତ୍ର ୩ଜଣ ମ୍ୟାଲେରିଆରେ ମରିଥିବା ରେକର୍ଡ ହୋଇଛି । ମ୍ୟାଲେରିଆ ନିରାକରଣ ଲାଗି ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ‘ଦମନ’ ଯୋଜନାରୁ ବେଶ୍‍ ସୁଫଳ ମିଳିଛି । ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରେ ଏହି ଯୋଜନାରେ ରାଜ୍ୟର ୨୪ଟି ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ତିନି ପର୍ଯ୍ୟାୟରେ ପ୍ରାୟ ୪୦୦୦ ରୁ ଅଧିକ ଶିବିର ଆୟୋଜନ ହୋଇଛି । ଏହି ଶିବିର ମାଧ୍ୟମରେ ୧୪ଲକ୍ଷରୁ ଅଧିକ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇ ଚିହ୍ନଟ ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ଚିକିସôା ଯୋଗାଯାଇଛି । ଏହା ଫଳରେ ମ୍ୟାଲେରିଆ ରୋଗୀସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି । ମ୍ୟାଲେରିଆ ରୋଗର ପ୍ରମୁଖ କାରଣ ମଶା କାମୁଡା ହୋଇଥିବାବେଳେ ମଶା କବଳରୁ ଲୋକଙ୍କୁ ରକ୍ଷା କରିବାପାଇଁ ୧୭ଟି ମ୍ୟାଲେିରିଆ ପ୍ରବଣ ଜିଲ୍ଲାରେ ଏକ କୋଟି୧୩ଲକ୍ଷ ଔଷଧିୟ ମଶାରୀ ବଂଟନ କରାଯାଇଛି । ଏହାଦ୍ୱାରା ପ୍ରାୟ ୨କୋଟି ହିତାଧିକାରୀ ଉପକୃତ ହୋଇଥିବାବେଳେ ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ଏଥି ସହିତ ୨୧ଟି ଜିଲ୍ଲାରେ ଘର ଭିତରେ କୀଟନାଶକ ସିଂଚନ, ମ୍ୟାଲେରିଆ ନିରାକରଣ ସଂକାନ୍ତରେ ୪୭ହଜାରରୁ ଅଧିକ ଆଶାକର୍ମୀଙ୍କୁ ତାଲିମ, ତୁରନ୍ତ ରୋଗ ଚିହ୍ନଟ ପାଇଁ ରାପିଡ୍ କିଟ୍ ଓ ମ୍ୟାଲେରିଆ ଔଷଧ ଯୋଗାଣ ସହିତ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ରାଜ୍ୟ ସରକାର ହାତକୁ ନେଇଛନ୍ତି । ଆସନ୍ତା ୨୦୩୦ ସୁଦ୍ଧା ଦେଶକୁ ମ୍ୟାଲେରିଆ ମୁକ୍ତ କରିବାପାଇଁ ଲକ୍ଷ୍ୟ ସ୍ଥିର ହୋଇଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଓଡିଶାକୁ ଏ କ୍ଷେତ୍ରରେ ସାବାସୀ ପ୍ରଦାନ ଏବେ ଉଭୟ ରାଜ୍ୟ ଓ ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ଉସôାହିତ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଆର୍ନ୍ତଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବାବେଳେ ସମଗ୍ର ଦେଶପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କମନ୍ତ୍ରୀ ପ୍ରତାପ ଜେନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରେ ଓଡିଶାର ସଫଳତା ପାଇଁ ବିଭାଗକୁ ଧନ୍ୟବାଦ ଜଣାଇ ଧାର୍ଯ୍ୟ ସମୟ ପୂର୍ବରୁ ଓଡିଶାକୁ ସମ୍ପୂର୍ଣ୍ଣ ମ୍ୟାଲେରିଆମୁକ୍ତ କ୍ଷେତ୍ରରେ ମିଳିତଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ।