ପ୍ରଧାନମନ୍ତ୍ରୀଙ୍କ ପ୍ରତି ରାହୁଲ୍ଙ୍କ ବିଦ୍ବେଷ ଏବେ ଭାରତ ପ୍ରତି ବିଦ୍ବେଷରେ ହୋଇଯାଇଛି: ସ୍ମୃତି ଇରାନୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରତି ରାହୁଲ୍ ଗାନ୍ଧୀଙ୍କ ବିଦ୍ବେଷ ଏବେ ଦେଶ ପ୍ରତି ବିଦ୍ବେଷ ହୋଇଯାଇଛି ବୋଲି ଆଜି ଗଣମାଧ୍ୟମକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରତି ରାହୁଲ୍ ଗାନ୍ଧୀଙ୍କ ବିଦ୍ବେଷ ଭାବ ଏବେ ଜାତି ପ୍ରତି ବିଦ୍ବେଷରେ ପରିଣତ ହୋଇଯାଇଛି। ଯେଉଁ ଦେଶ ଭାରତକୁ ଦାସ କରିଥିଲା ସେ ଦେଶକୁ ଗସ୍ତ କରି ରାହୁଲ୍ ବିଦେଶୀ ଶକ୍ତିଙ୍କୁ ଆବାହନ କରିଛନ୍ତି। ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାର ଅମର୍ଯ୍ୟାଦା କରି ସେ ଦୁଃଖ ପ୍ରକାଶ କରିଛନ୍ତି ଯେ, ବିଦେଶି ଶକ୍ତିମାନେ କାହିଁକି ଆସି ଭାରତ ଅକ୍ରମଣ କରୁ ନାହାନ୍ତି।
ମୁଁ ରାହୁଲ୍ ଗାନ୍ଧୀଙ୍କୁ ପଚାରିବାକୁ ଚାହେଁ, ବିଦେଶରେ ଆପଣ କହିଲେ ଯେ, ଦେଶର କୌଣସି ବିଶ୍ବବିଦ୍ୟାଳୟରେ ଆପଣଙ୍କର କହିବା ଅଧିକାର ନାହିଁ। ଯଦି ସେମିତି କଥା ତାହେଲେ ୨୦୧୬ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଯେତେବେଳେ ‘ଭାରତ ତେରେ ଟୁକ୍ଡ଼େ ହୋଙ୍ଗେ’ ସ୍ଲୋଗାନ୍ ଉଠିଥିଲା, ଆପଣ ତାହାକୁ ସମର୍ଥନ କରିଥିଲେ। ସେଇଟା ତେବେ କ’ଣ?
ବିଦେଶ ଭୂଇଁରେ ସେ ଭାରତର ସମ୍ମାନହାନୀ କରିଛନ୍ତି। ସୁପ୍ରିମ୍ କୋର୍ଟ ଏବଂ ନିର୍ବାଚନ କମିସନ୍ ଭଳି ପ୍ରତିଷ୍ଠାନଗୁଡ଼ିକ ରାହୁଲ୍ ଗାନ୍ଧୀ ଅସମ୍ମାନ କରିଛନ୍ତି। ଭାରତକୁ ଅପମାନ ଦେବା କ’ଣ ଗଣତନ୍ତ୍ର? ଗୃହର ଅଧ୍ୟକ୍ଷଙ୍କୁ ଅସମ୍ମାନିତ କରିବା କ’ଣ ଗଣତନ୍ତ୍ର? ଭାରତ ରାହୁଲ୍ ଗାନ୍ଧୀଙ୍କଠାରୁ କ୍ଷମା ଦାବି କରୁଛି ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଲଜ୍ଜାର କଥା ଯେ, ସଂସଦକୁ ଆସି ଭାରତ ବିରୋଧରେ ଦେଇଥିବା ଅଗଣତାନ୍ତ୍ରିକ ମନ୍ତବ୍ୟ ନିମନ୍ତେ କ୍ଷମାଭିକ୍ଷା ନ କରି ସେ ସଂସଦରେ ଅନୁପସ୍ଥିତ ରହୁଛନ୍ତି।
ସେପଟେ, ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ଇଂଲଣ୍ଡ୍ରେ ରାହୁଲ୍ ଗାନ୍ଧୀ ଦେଇଥିବା ମନ୍ତବ୍ୟ ବିଷୟରେ କ୍ଷମାଭିକ୍ଷା କରିବାର ସମ୍ଭାବନା ନାହିଁ।
ସେ କହିଛନ୍ତି, ରାହୁଲ୍ ଗାନ୍ଧୀଙ୍କଠାରୁ କ୍ଷମାଭିକ୍ଷା ଦାବି କରୁଥିବା ଲୋକମାନଙ୍କୁ ମଧ୍ୟ ମୁଁ ପ୍ରଶ୍ନଟିଏ ପଚାରୁଛି। ମୋଦୀଜୀ ୫/୬ଟି ଦେଶକୁ ଯାଇ ଆମ ଦେଶବାସୀଙ୍କୁ ଅପମାନିତ କରିବା ପ୍ରସଙ୍ଗରେ ଆପଣମାନେ କ’ଣ କହୁଛନ୍ତି। ଭାରତରେ ଜନ୍ମିବା ପାପ ବୋଲି ସେ କହିଥିଲେ।
ଟିଭି ଚାନେଲ୍ଗୁଡ଼ିକ ଉପରେ ଚାପ ପକାଯାଉଛି। ସତ କହୁଥିବା ଲୋକମାନଙ୍କୁ ଜେଲ୍ ପଠଯାଉଛି। ଏହା ଗଣତନ୍ତ୍ରର ବିନାଶ ପ୍ରକ୍ରିୟା ନୁହେଁ ତ କ’ଣ? ତେଣୁ, କ୍ଷମାଭିକ୍ଷା କରିବାର ସମ୍ଭାବନା ନହିଁ ବୋଲି ସେ କହିଛନ୍ତି।