ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ ଆଇ ପରିଜାଙ୍କ ପରଲୋକ

Aug 26, 2019 - 18:35
 96
ଭୁବନେଶ୍ୱର, ୨୬/୮(ସକାଳଖବର): ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ଲଲାଟ ଇନ୍ଦୁ ପରିଜାଙ୍କର ସୋମବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । କଟକର ଏକ ଘରୋଇ ହସ୍ପିଟାଲରେ ସେ ନିଶ୍ୱାସ ତ୍ୟାଗ କରିଛନ୍ତି । ଏଲ୍.ଆଇ୍ ପରିଜା ଖ୍ୟାତନାମା ବୈଜ୍ଞାନିକ ଡ. ପ୍ରାଣକୃଷ୍ଣ ପରିଜାଙ୍କ ପୁଅ ଥିଲେ । ତାଙ୍କ ବିୟୋଗରେ କଟକ ଓ ଭୁବନେଶ୍ୱରର ବହୁ ବିଶିଷ୍ଟ ବ୍ୟକ୍ତି , ଆଇନଜୀବୀ , ସାହିତ୍ୟିକ ଓ ବୁଦ୍ଧିଜୀବୀ ତାଙ୍କର ଶେଷ ଦର୍ଶନ କରିବା ସହିତ ଶୋକବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ପରିଜା ୨ଥର ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ରହିଥିଲେ । ଏହା ବ୍ୟତୀତ ରାଜ୍ୟ ଲୋକସେବା ୍ରଆୟୋଗର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ସେ ଜଣେ ଦକ୍ଷ ପ୍ରଶାସକ , ସୁବକ୍ତା ଓ ପ୍ରଖ୍ୟାତ ସ୍ତମ୍ଭକାର ଥିଲେ । କେବଳ ସେତିକି ନୁହେଁ ତାଙ୍କର କ୍ରିକେଟ୍ ରେ ମଧ୍ୟ ରୁଚି ଥିଲା । ସେ ଓଡିଶା ରନଜୀ ଟିମ୍ ର କ୍ୟାପଟେନ୍ ମଧ୍ୟ ଥିଲେ । ଦୀର୍ଘ ୪୦ ବର୍ଷର ଚାକିରୀ ଅନୁଭୂତିକୁ ନେଇ ସେ ଇଂରାଜୀରେ ଏକ ପୁସ୍ତକ ଲେଖିଥିଲେ । ‘ଫେଟ୍ ଟେକସ୍ ଏ ହ୍ୟାଣ୍ଡ’ ନାମକ ଏହି ପୁସ୍ତକଟି ଗତ ମାର୍ଚ୍ଚ ମାସରେ ଉନ୍ମୋଚିତ ହୋଇଥିଲା ।