ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ
ନୂଆଦିଲ୍ଲୀ,୧୬/୮ (ସକାଳଖବର):ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ବିଗତ ୨୪ ଘଣ୍ଟା ମଧ୍ୟରେ ବେଶି ସଙ୍କଟାପନ୍ନ ହୋଇଯାଇଛି । ତାଙ୍କୁ ଜୀବନ ରକ୍ଷା ପ୍ରଣାଳୀରେ ରଖାଯାଇଛି । କିଡନୀରେ ସଂକ୍ରମଣ, ଛାତି ଯନ୍ତ୍ରଣା, ପରିଶ୍ରାର ପରିମାଣ ମାତ୍ରଧିକ ଭାବରେ କମିଯିବାରୁ ଗତ ଜୁନ୍ ୧୧ରେ ବାଜପେୟୀଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଥିଲା ।ସେବେ ଠାରୁ ବାଜପେୟୀଙ୍କୁ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା ।
ବୁଧବାର ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥାର ଗୁରୁତର ଅବନତି ଦେଖା ଦେବା ପରେ ସନ୍ଧ୍ୟାରେ ଏମ୍ସ ହସ୍ପିଟାଲରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ବ୍ୟତୀତ କେନ୍ଦମନ୍ତ୍ରୀ ସ୍ମୃତି ଇରାନୀ, ଗୃହମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୟ ଅଧ୍ୟକ୍ଷ ଅମିତ ଶାହା, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଦିଲ୍ଲୀ ଏମ୍ସରେ ପହଞ୍ଚି ବାଜପାୟୀଙ୍କ ସ୍ୱାସ୍ଥ୍ୟ ସଂପର୍କିତ ଖବର ବୁଝିଛନ୍ତି ।
୯୩ ବର୍ଷିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତା ବାଜପେୟୀ ଗତ ଜୁନ ୧୧ ତାରିଖ ଠାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ଥର ପ୍ରଧାନମନ୍ତ୍ରୀ ମୋଦି ବାଜପାୟୀଙ୍କୁ ଦେଖିବା ପାଇଁ ଏମ୍ସ ଯାଇଛନ୍ତି । ବାଜପେୟୀଙ୍କୁ ସ୍ୱାସ୍ଥ୍ୟବସ୍ଥା ଅନେକ ଦିନ ଧରି ଅତ୍ୟନ୍ତ ଖରାପ ରହିଛି । ଡିମେନସିୟା ନାମକ ଏକ ରୋଗରେ ବାଜପେୟୀ ପୀଡିତ ଥିବା ଜଣାପଡିଛି । ୨୦୦୯ ମସିହାଠାରୁ ସେ ହ୍ୱିଲ ଚେୟାରରେ ଥିବା ଜଣାପଡିଛି ।
ନିକଟରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି । ସେ ହେଉଛନ୍ତି ଏକମାତ୍ର ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏ ପୂର୍ଣ୍ଣକାଳୀନ ସରକାର ଗଠନ କରିବାରେ ସକ୍ଷମ ହୋଇଛନ୍ତି । ଉତ୍ତର ପ୍ରଦେଶର ଲକ୍ଷ୍ନୌ ଲୋକସଭା ଆସନରୁ ବାରମ୍ବାର ବିଜୟୀ ହେବା ସହିତ ବାଜପେୟୀ ତିନି ଥର ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି । ପ୍ରଥମ ଥର ୧୩ ଦିନ, ଦ୍ୱିତୀୟ ଥର ୧୩ ମାସ ଓ ତୃତୀୟ ଥର ପୂର୍ଣ୍ଣକାଳୀନ ସରକାର ଚଳାଇ ସେ ଅଣକଂଗ୍ରେସ ରାଜନୀତିର ଅନନ୍ୟ ଇତିହାସର ରଚିଛନ୍ତି। ଭାରତଛାଡ଼ ଆନ୍ଦୋଳନରେ ଜଡିତ ହୋଇ ଭାରତୀୟ ରାଜନୀତିରେ ପ୍ରବେଶ କରିଥିବା ଶ୍ରୀ ବାଜପେୟୀ ଜଣେ ବାଗ୍ମୀ ଓ କବି ଭାବେ ବେଶ ଜଣାଶୁଣା ।