ପଞ୍ଜାବ ନିର୍ବାଚନ ପାଇଁ ବିଜେପି ସହ ମେଣ୍ଟ ଘୋଷଣା କଲେ କ୍ୟାପଟେନ୍
ନୂଆଦିଲ୍ଲୀ : ଏକାଠି ଲଢିବେ ବିଜେପି ଆଉ କ୍ୟାପଟେନ୍ । ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଏହି ନିର୍ବାଚନରେ ଏକାଠି ହୋଇ ଲଢିବେ ପଞ୍ଜାବ ଲୋକ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି । ଶୁକ୍ରବାର ଏନେଇ ଦୁଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଶୁକ୍ରବାର ପଞ୍ଜାବ ଲୋକ କଂଗ୍ରେସର ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମିରିନ୍ଦର ସିଂହ ଓ କେନ୍ଦ୍ରମନ୍ତ୍ରୀ ତଥା ପଞ୍ଜାବ ବିଜେପି ପ୍ରଭାରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବସିଥିଲା । ଏହି ଆଲୋଚନା ପରେ ଦୁହେଁ ଆସନ୍ତା ନିର୍ବାଚନରେ ଏକାଠି ହୋଇ ଲଢିବେ ବୋଲି ଘୋଷଣା କରିଛନ୍ତି ।
ବୈଠକ ପରେ ଅମରିନ୍ଦର କହିଛନ୍ତି, ଆମେ ଏକାଠି ହୋଇ ନିର୍ବାଚନ ଲଢିବୁ । ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ । ତେବେ କେଉଁ ଦଳ କେତେ ସିଟରେ ଲଢିବେ ତାହା ଆଗାମୀ ଦିନରେ ନିର୍ଦ୍ଧାରଣ କରାଯିବ । ଯେଉଁ ସିଟରେ ଯେଉଁ ଦଳର ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ଥିବ ସେହି ପ୍ରାର୍ଥୀଙ୍କୁ ହିଁ ମେଣ୍ଟ ଟିକେଟ୍ ଦେବ ବୋଲି କ୍ୟାପଟେନ୍ କହିଛନ୍ତି ।
ଅନ୍ୟପଟେ ପଞ୍ଜାବ ବିଜେପି ପ୍ରଭାରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, ୭ ରାଉଣ୍ଡ ଆଲୋଚନା ପରେ ମୁଁ ଆଜି ପକ୍କା କରୁଛି, ବିଜେପି ଓ ପଞ୍ଜାବ ଲୋକକଂଗ୍ରେସ ଆସନ୍ତା ପଞ୍ଜାବ ବିଧାନସଭା ନିର୍ବାଚନରେ ଏକାଠି ଲଢିବାକୁ ଯାଉଛନ୍ତି । ତେବେ କିଏ କେତେ ସିଟରେ ଲଢିବେ ତାହା ଆଗାମୀ ଦିନରେ ସ୍ଥିର କରାଯିବ ।
ସୂଚନାଯୋଗ୍ୟ ଯେ, କଂଗ୍ରେସ ସହ ବିବାଦ ଭିତରେ କ୍ୟାପଟେନ୍ ଅମିରନ୍ଦର ସିଂହ ପଞ୍ଜାବରେ ନିଜର ନୂଆ ଦଳ ଗଠନ କରିସାରିଛନ୍ତି । ଏହାର ନାଁ ରହିଛି ପଞ୍ଜାବ ଲୋକ କଂଗ୍ରେସ । ତେବେ ଆସନ୍ତା ନିର୍ବାଚନରେ ବିଜେପି ଏବଂ ପଞ୍ଜାବ ଲୋକକଂଗ୍ରେସ ଏକାଠି ହୋଇ ସେଠାରେ କଂଗ୍ରେସକୁ ମାତ୍ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ପଞ୍ଜାବରେ ଏବେ କଂଗ୍ରେସ ସରକାର ଥିବାବେଳେ, ସେଠାରେ ମୁଖ୍ୟମନ୍ତ୍ରୀ ଅଛନ୍ତି ଚରଣଜିତ ସିଂହ ଚନ୍ନୀ ।