ଚୈତ୍ର ପର୍ବରେ ବାଧକ ନିର୍ବାଚନୀ ଆଚରଣ ବିଧି

Apr 5, 2019 - 04:14
 161
ବାରିପଦା, ୦୩/୪(ସକାଳଖବର): ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାମାନଙ୍କ ଶାସନ ସମୟରୁ ରାଜ୍ୟର ଗଣପର୍ବ ଭାବେ ଚୈତ୍ରପର୍ବ ପାଳିତ ହୋଇ ଆସୁଥିଲା । ଉକ୍ତ ଚୈତ୍ର ପର୍ବ ସହ ଭକ୍ତା ମେଲଣ ଆଦି ପରମ୍ପରା ଓ ସଂସ୍କୃତି ଜଡ଼ିତ ମଧ୍ୟ ରହିଥିଲା । ଚୈତ୍ର ପର୍ବରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ । ରାଜତନ୍ତ୍ର ଶାସନ ସମୟରେ ଏହା ରାଜବାଟୀ ମଧ୍ୟରେ ଆୟୋଜିତ ହୋଇଆସୁଥିଲା ଓ ରାଜତନ୍ତ୍ର ଶାସନ ବିଲୋପ ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହାକୁ ଛଉପଡ଼ିଆ ପରିସରରେ ଏପ୍ରିଲ ୧୧ରୁ ୧୩ ପର୍ଯ୍ୟନ୍ତ ଆୟୋଜିତ ହୋଇଆସୁଅଛି । ଜିଲ୍ଲା ସଂସ୍କୃତି ବିଭାଗ ଅଧୀନରେ ମୟୂରଭଞ୍ଜ ଛଉନୃତ୍ୟ ପ୍ରତିଷ୍ଠାନ ମଧ୍ୟ ଗଠିତ ହୋଇଛି । ଏଥିରେ ଜିଲ୍ଲାପାଳ ଅଧ୍ୟକ୍ଷ ରହିଛନ୍ତି । ମୟୂରଭଞ୍ଜର ଗଣପର୍ବ ଚୈତ୍ରପର୍ବ ସହ କୌଣସି ରାଜନୈତିକ ଦଳ, ନେତା, ସଙ୍ଗଠନ ଆଦିର କୌଣସି ପ୍ରକାରର ସମ୍ପର୍କନଥିବା ବେଳେ ଜିଲ୍ଲା ପ୍ରଶାସନ ଉକ୍ତ ପର୍ବ ୧୯୪୯ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ହୋଇ ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେବା ପରବର୍ତି ସମୟରୁ ଆୟୋଜିତ ହୋଇଆସୁଛି । ଏହି ୧୯୪୯ରୁ ୨୦୧୯ ମଧ୍ୟରେ କେତେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି, କିନ୍ତୁ କୌଣସି ନିର୍ବାଚନ ସମୟରେ ଚୈତ୍ରପର୍ବର ଆୟୋଜନ ଉପରେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆଦର୍ଶ ନିର୍ବାଚନୀ ଆଚରଣ ବିଧିର ଅଙ୍କୁଶ ଲାଗିନଥିଲା । ମାତ୍ର ଚଳିତ ବର୍ଷ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି । ଓଡ଼ିଶା ସରକାରଙ୍କ ହୋମ(ନିର୍ବାଚନ) ବିଭାଗ ଉପମୁଖ୍ୟ ନିର୍ବାଚନ ଅଧିକାରୀ କାମ୍ ଉପସଚିବଙ୍କ ପତ୍ର ସଂଖ୍ୟା ନଂ ଭିଇ(ଏ)-ଏମସିସି-୩୪/୨୦୧୯(ପିଟି-ଭି) ୬୯୦୧/ଇଲେକସନ ୩ ମାର୍ଚ୍ଚ ୨୦୧୯ ଅନୁସାରେ ଆଦର୍ଶ ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇଥିବା କାରଣରୁ ମୟୂରଭଞ୍ଜ ଚୈତ୍ରପର୍ବକୁ ଅନୁମତି ମିଳିପାରିବ ନାହିଁ ବୋଲି ଏକ ନିଦେ୍ର୍ଧଶନାମା ମୟୂରଭଞ୍ଜ ନିର୍ବାଚନ ଅଧିକାରୀ କାମ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲା । ଫଳରେ ଦୀର୍ଘ ବର୍ଷର ପରମ୍ପରା ଆଜି ବନ୍ଦ ହେଉଛି । ଏହାକୁ ନେଇ ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଥିନିମନ୍ତେ ସାମାଜିକ ଗଣମାଧ୍ୟମରେ କିଏ ଜିଲ୍ଲାର ନେତାମାନଙ୍କୁ ଉତରଦାୟୀ କରି କମେଣ୍ଟ ଦେଉଛି, ପୁଣି କିଏ ଜିଲ୍ଲାପ୍ରଶାସନକୁ ସମାଲୋଚନା କରୁଛି । ଏହାକୁ ନେଇ ଆଜି ଦକ୍ଷିଣସାହି ଛଉନୃତ୍ୟ ପ୍ରତିଷ୍ଠାନର ସମ୍ପାଦକ ତଥା ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଗଭୀର କ୍ଷୋଭ ପ୍ରକାଶ କରିବା ସହ ଉଭୟ ଜିଲ୍ଲାପ୍ରଶାସନ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଉପରେ ବର୍ଷିଥିଲେ । ଏହାପରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଚୈତ୍ରପର୍ବ ପାଳନକୁ ବନ୍ଦ ନକରାଇବା ନିମନ୍ତେ ଅନୁରୋଧ କରିଥିଲେ । କିନ୍ତୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଚୈତ୍ରପର୍ବକୁ ସରକାରୀ ଅର୍ଥ ମିଳିବ ନାହିଁ କିମ୍ବା କୌଣସି ସରକାରୀ କର୍ମଚାରୀ ସେଠାକୁ ଯିବେ ନାହିଁ ବୋଲି ମନା କରିଦେଇଥିଲେ । ଏଥିରେ ଦକ୍ଷିଣସାହି ଛଉନୃତ୍ୟ ପ୍ରତିଷ୍ଠାନର ସମ୍ପାଦକ କାର୍ତିକେଶ୍ୱର ରଣା, ଉତରସାହି ଛଉନୃତ୍ୟ ପ୍ରତିଷ୍ଠାନର ସଭାପତି ଦିଲ୍ଲୀପ କୁମାର ମିଶ୍ର, ଲୋକନାଥ ଦାସ, ଗଣେଶ୍ୱର ରଣା ପ୍ରମୁଖ ଉପସ୍ଥିତ ଥିଲେ ।