କୋହଲିଙ୍କ ଟେଷ୍ଟ୍ ଅଧିନାୟକ ପଦରୁ ଇସ୍ତଫା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗାଙ୍ଗୁଲି, କହିଲେ…

Jan 16, 2022 - 05:36
 60
କୋହଲିଙ୍କ ଟେଷ୍ଟ୍ ଅଧିନାୟକ ପଦରୁ ଇସ୍ତଫା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗାଙ୍ଗୁଲି, କହିଲେ…
ନୂଆଦିଲ୍ଲୀ : ବିରାଟ କୋହଲି ଭାରତୀୟ ଦଳର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଶନିବାର ସେ ସୋସିଆଲ ମିଡିଆରେ ଏନେଇ ଘୋଷଣା କରିଥିଲେ । ଏବେ ରନ୍ ମେସିନ୍ ସବୁ ଫର୍ମାଟରୁ ନେତୃତ୍ୱ ଭାର ଛାଡିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି କହିଛନ୍ତି ଯେ, ବିରାଟଙ୍କ ନେତୃତ୍ୱରେ ଭାରତ ସବୁ ଫର୍ମାଟରେ ଉନ୍ନତ ପ୍ରଦର୍ଶନ କରିଛି । ତାଙ୍କର ଅଧିନାୟକ ଭାର ଛାଡିବା ବ୍ୟକ୍ତିଗତ ନିଷ୍ପତ୍ତି । ବିସିସିଆଇ ତାଙ୍କର ବହୁ ସମ୍ମାନ କରେ । ସେ ଭବିଷ୍ୟତରେ ଦଳକୁ ଶିଖରରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ । ସେ ଜଣେ ମହାନ ଖେଳାଳି ବୋଲି କହିଛନ୍ତି ଗାଙ୍ଗୁଲି । ସୂଚନାନୁସାରେ, ନିକଟରେ ଗାଙ୍ଗୁଲି ଓ କୋହଲିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ବଢିଛି । ଡିସେମ୍ବରରେ ବିରାଟଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା ।ଏହାପରେ ଗାଙ୍ଗୁଲି ତାଙ୍କୁ ଟି୨୦ ନେତୃତ୍ୱ ନଛାଡିବା ପାଇଁ ପରାମର୍ଶ ଦେଇଥିବା କହିଥିଲେ । କିନ୍ତୁ କୋହଲି ଗାଙ୍ଗୁଲିଙ୍କ ଏହି କଥାକୁ ଖଣ୍ଡନ କରିଥିଲେ । ଏହାପରେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ ଏଥିରେ ଯାହା କହିଥିଲେ ତାହା ଗାଙ୍ଗୁଲିଙ୍କ କଥାର ସମ୍ପୂର୍ଣ୍ଣ ବୀପରିତ ଥିଲା । ତାଙ୍କୁ କେହି ଟି୨୦ ପଦ ନଛାଡିବା ପାଇଁ କହିନଥିଲେ ବୋଲି ପ୍ରକାଶ କରିଥିଲେ କୋହଲି । ବିରାଟ କୋହଲି ଭାରତର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ଥିଲେ । ତାଙ୍କ ନେତୃତ୍ୱରେ ଭାରତ ୬୮ରୁ ୪୦ଟି ଟେଷ୍ଟ୍ ଜିତିଛି । ଇଂଲଣ୍ଡ ଓ ଓ୍ୱେଷ୍ଟଇଣ୍ଡିଜ୍ ଭଳି ଦେଶରେ ବିରାଟଙ୍କ ନେତୃତ୍ୱରେ ଦଳ ଅନେକ ରେକର୍ଡ ପ୍ରତିଷ୍ଠା କରିଛି । ଏହାବ୍ୟତୀତ ଦିନିକିଆ ଓ ଟି୨୦ରେ ବିରାଟଙ୍କ ଦମଦାର ରେକର୍ଡ ରହିଛି ।