କଂଗ୍ରେସରେ କେଁ

Oct 30, 2018 - 13:54
 370
କଂଗ୍ରେସରେ କେଁ
ଭୁବନେଶ୍ୱର, ୩୦/୧୦ (ସକାଳଖବର): ବିଧାନସଭା ଓ ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ରଣନୀତି ଆରମ୍ଭ କରିଦେଇଛି । ଏପରିକି ୪୪ଜଣିଆ ସାମ୍ଭବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଇଛି । ସେମାନଙ୍କ ନାଁ ହୁଏତ ଆପଣ ଜାଣିସାରିବେଣି । କଂଗ୍ରେସ ତାର ସବୁ ନିର୍ବାଚିତ ବିଧାୟକଙ୍କୁ ଟିକେଟ ଦେବାପାଇଁ ସ୍ଥିର କରିଛି । କିନ୍ତୁ ୪ଜଣ ବିଧାୟକ କୁଆଡେ କଂଗ୍ରେସ ଛାଡିବେ ବୋଲି ଏଠାରେ ଜୋରଦାର ଚର୍ଚ୍ଚା । କୃଷ୍ଣ ଶଗରିଆ ତ ଦଳ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି । ଉପକୂଳରୁ କୁଆଡେ ଆଉ ତିନିଜଣ ବିଧାୟକ ଡେଣା ମେଲାଇ ବସିଛନ୍ତି । ଖାଲି ସଂକେତ ଆସିଲେ ଉଡିଯାଇ ନବୀନ ଖୁଆଡରେ ବସିଯିବେ । ଦଳରୁ ଟିକେଟ ପାଇବା ନିଶ୍ଚିତ ଥାଇ ମଧ୍ୟ ଅନ୍ୟ ଆଡକୁ ଯିବାକୁ ଯୋଜନା କରୁଥିବା ବିଧାୟକମାନଙ୍କୁ ହାରିଯିବାର ଭୟ ଘାରିଛି । ପଦ ଚାଲିଯିବା ଭୟରେ ଦଳଛାଡି ଗାଦି ବଞ୍ଚାଇବା ଚକରରେ ସେମାନେ ନାହାଁନ୍ତି ତ ! ଖାଲି କ’ଣ ୪ଜଣ । ଆମେ ଶୁଣିଲୁ ଝାରସୁଗୁଡା ବିଧାୟକ ନବ ଦାସ ମଧ୍ୟ ନିଜର ନବକଳେବର ପାଇଁ ପ୍ରସ୍ତୁତ ହେଉଛନ୍ତି । ସେ ବିଜେଡି ହାତ ଧରିବାକୁ କୁଆଡେ ଅନେଇ ବସିଁଛନ୍ତି । ତାଙ୍କୁ ଦଳକୁ ନେବାକୁ ବିଜେଡି କାଳେ ଚାହୁଁଛି । ନବ ଦଳକୁ ଆସିଲେ ଝାରସୁଗୁଡା ଆସନ ତ ନିଶ୍ଚୟ ବିଜେଡିକୁ ମିଳିବ । କିନ୍ତୁ ନବବାବୁଙ୍କୁ କ’ଣ ମିଳିବ । ଆଜ୍ଞା ଏତବର୍ଷ ବିଧାୟକ ହେଲେଣି, ମନ୍ତ୍ରୀ ହେବାକୁ ତ ଆଶା ଥିବ । କଂଗ୍ରେସ ଯେ ୨୦୧୯ରେ ସରକାର ଗଢି ପାରିବ ନାହିଁ । ସେକଥା କ’ଣ ସେ ଜାଣିନଥିବେ । ଆଉ ୨୦୨୪ କିଏ ଦେଖିଛି । ତେଣୁ ବେଳ ଥାଉ ଥାଉ ଥୋପ ପକାଇବାକୁ ବାବୁ ଭାବିଥାଇପାରନ୍ତି !