ଇ-ଟିକଟ ବୁକିଂରେ ଜାଲିଆତି ଅଭିଯୋଗ :

Nov 30, 2018 - 14:50
 149
ବାରିପଦା,୩୦/୧୧(ସକାଳଖବର): ଦୁର୍ନୀତି, ଜାଲିଆତି ଆଦିରେ ଅର୍ଥ ଉପାର୍ଜନ କରି ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନ ଦେଖିବା ବ୍ୟକ୍ତି ବିଶେଷଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧ ିପାଇବାରେ ଲାଗିଛି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ । ଜାଲ ଆଇଡ଼ି ଜରିଆରେ ଅନ ଲାଇନରେ ରେଳବିଭାଗର ଇ-ଟିକଟ ବୁକିଂ କରି ବିଭାଗକୁ ଚିତା କାଟିବା ଅଭିଯୋଗରେ ନଭେମ୍ବର ୨୯ ରାତିରେ ରେଳବାଇ ଟାସ୍କ ଟିମ ପକ୍ଷରୁ ବାରିପଦା ସହରର କଚେରୀ ରୋଡ଼ସ୍ଥିତ ପଣ୍ଡା ଜେରକ୍ସ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇ ମାଲିକ ଆଶିଷ କୁମାର ପଣ୍ଡା(୫୦)ଙ୍କୁ ଗିରଫ କରାଯିବା ସହିତ ଗୋଟାଏ ପ୍ରିଣ୍ଟର, ମନିଟର, ୟୁପିଏସ, ମୋବାଇଲ ସହିତ ବଗଦ ୭,୫୪୦ଟଙ୍କା, ନଭେମ୍ବର ୨୯ରେ ପ୍ରସ୍ତୁତ କରାଯାଇଥିବା ୩୩୦୧ ଟଙ୍କାର ରେଳ ଟିକଟ, ପୂର୍ବରୁ ପ୍ରସ୍ତୁତ ହୋଇଥିବା ୧୪,୭୦୯ ଟଙ୍କାର ୯ଟି ଟିକଟ ଜବତ କରାଯାଇ ଥିଲା । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ପଣ୍ଡା ଜେରକ୍ସର ମାଲିକ ଆଶିଷ କୁମାର ପଣ୍ଡା ନକଲି ଅଇଡ଼ି ମାଧ୍ୟମରେ ଅନ ଲାଇନରେ ମୋଟ ୧ଲକ୍ଷ ୧୪ ହଜାର ୭୨୫ ଟଙ୍କା ରେଳ ଟିକଟ ପ୍ରସ୍ତୁତ କରିଥିଲେ । ଭାରତୀୟ ରେଳ ମନ୍ତ୍ରଣାଳୟ ଏ ବିଷୟରେ ଅବଗତ ହେବାପରେ ବିଭାଗର ଖଡ଼ଗପୁର ଟାସ୍କ ଟିମ ବାରିପଦା ଆରପିଏଫ ଇନ୍ସପେକ୍ଟର ଅମିତ୍ କୁମାର ଓ ତାଙ୍କ ଷ୍ଟାଫଙ୍କ ସହାୟତାରେ ପଣ୍ଡା ଜେରକ୍ସ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିଲେ । ଏହି ଘଟଣାକୁ ନେଇ ଆରପିଏଫ ଥାନାରେ କେଶ ନଂ ୨୭/୧୮ରେ ଏକ ମାମଲା ରୁଜୁ କରାଯାଇଛି । ତେବେ ଏହି ଜାଲିଆତି ଅଭିଯୋଗ ମାମଲାରେ ପଣ୍ଡା ଜେରକ୍ସର ମାଲିକ ଆଶିଷଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ସେ ଜାମିନରେ ବାହାରି ନଭେମ୍ବର ୩୦ରେ ସବୁ ଦିନ ଭଳି ତାଙ୍କର କାମ କାର୍ଯ୍ୟ ଆରମ୍ଭ କରିବା ସହିତ ସାମାଜିକ ଗଣମାଧ୍ୟମରେ ନିଜର ଉପସ୍ଥିତିକୁ ଜାହିତ କରାଇଥିବାର ପରିଲକ୍ଷିତ ହୋଇଛି ।