ସାରଥୀ ଭକ୍ତଙ୍କ ମେଳିକୁ ଗ୍ରାମବାସୀଙ୍କ ବିରୋଧ
କେନ୍ଦ୍ରାପଡ଼ା, ୭/୧୨(ସକାଳଖବର): କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ବାରିମୂଳ ଗ୍ରାମର ଗ୍ରାମବାସୀମାନେ ମନ୍ଦିର ସଂପ୍ରସାରଣ ନାମରେ ସାରଥୀ ଭକ୍ତଙ୍କ ମେଳିକୁ ବିରୋଧ କରି ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଗ୍ରାମର ବହୁ ପ୍ରାଚୀନ ଆର୍ତେଶ୍ୱର ମହାଦେବ ମନ୍ଦିର ପୁନ ନିର୍ମାଣ ନାମରେ ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କ ଭାଇ ଦେବେନ୍ଦ୍ର ରାଉଳ ସାରଥୀ ଭକ୍ତ ମାନଙ୍କୁ ମେଳି କରି ଆସନ୍ତା ୧୦ ତାରିଖରେ ପ୍ରତିଷ୍ଠା ଉତ୍ସବ, ଯଜ୍ଞ ଓ ସତସଙ୍ଗ କରିବା ପାଇଁ ଯୋଜନା କରୁଛନ୍ତି । ମନ୍ଦିର ପରିଚାଳନା କମିଟି, ଗ୍ରାମର ମୁରବୀ କାହରିକୁ ନ ଜଣାଇଏଭଳି କରିବା ସହ ମନ୍ଦିର ପରିଚାଳନା ଦାୟିତ୍ୱ ନିଜ ଅଧିନକୁ ନେବାକୁ ଯୋଜନା କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାରେ କୌଣସି ସଭା ସମିତି ସତସଙ୍ଗ ନ କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସାରଥୀ ବାବାଙ୍କ ଉପରେ ସର୍ତ ଆରୋପ କରିଥିବା ବେଳେ ଭାଇ ଦେବେନ୍ଦ୍ର ଏପରି କରି ଭକ୍ତ ମାନଙ୍କୁ ଏକାଠି କରିବାକୁ ଗ୍ରାମବାସୀମାନେ ବିରୋଧ କରି ଏହାକୁ ନିଷେଧ କରିବା ଦାବି କରିଛନ୍ତି । ଗ୍ରାମର ପ୍ରଦ୍ୟୁମ୍ନ ପାତ୍ର, ରଶ୍ମିରଞ୍ଜନ ରାଉତ, ପ୍ରଶାନ୍ତ ପାତ୍ର, ରମାକାନ୍ତ ପାତ୍ର, ପୁଲକ କୁମାର ପାତ୍ର, ବିବେକାନନ୍ଦ ଦାସ, ମନୋଜ ପରିଡା, ଅଜୟ କୁମାର ପରିଡା, ଦେବେନ୍ଦ୍ର ସାମଲ ପ୍ରମୁଖ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଡେପୁଟି କଲେକ୍ଟର ଶର୍ମିଷ୍ଠା ମହାଳିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।