ଲଗାଣ ବର୍ଷାରେ ଭୁଶୁଡିଲା ବ୍ରିଜ୍, ୩୦ଟି ଗାଁ ସହ ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ

Aug 10, 2022 - 05:56
 41
ଲଗାଣ ବର୍ଷାରେ ଭୁଶୁଡିଲା ବ୍ରିଜ୍, ୩୦ଟି ଗାଁ ସହ ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ
ନୂଆପଡା ୧୦।୮: ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ନୂଆପଡା ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ହେଉଛି । ନୂଆପଡା ଜିଲ୍ଲା ସାରାବଙ୍ଗ ନିକଟ ପାୱାରତଲା ଠାରେ ଲଗାଣ ବର୍ଷା ଯୋଗୁଁ ବ୍ରିଜ୍ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି । ଫଳରେ ୩ଟି ପଞ୍ଚାୟତର ପାଖାପାଖି ୩୦ଟି ଗାଁ ବିଚ୍ଛିନ୍ନ ସହ ପଡୋଶୀ ଛତିଶଗଡକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । କିଛି ଦିନ ହେଲା ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି । ସେପଟେ ଉପର ଅଞ୍ଚଳରେ ଥିବା ପତୋରା ଡ୍ୟାମରେ ମଧ୍ୟ ଜଳ ଭର୍ତ୍ତି ହେବାରେ ଲାଗିଛି । ମଙ୍ଗଳବାର ରାତିରେ ପତୋରା ଡ୍ୟାମର ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା । ଏପଟେ ହୋସ୍ ପାଇପ୍ ସାହାଯ୍ୟରେ ନିର୍ମାଣ ହୋଇଥିବା ବ୍ରିଜ ଦୁର୍ବଳ ଅବସ୍ଥାରେ ରହିଥିବା ବେଳେ ପାଣି ଚାପରେ ୧୦ଟି ପାଇପ୍ ଭୁଶୁଡି ପଡିଛି । ଯାହାଦ୍ବାରା ତିନୋଟି ପଞ୍ଚାୟତ ଆମାନାରା, କେନ୍ଦୁବାହାରା ଓ ମୋଟା ନୂଆପଡାର ଖଲନା, ପତାଲଘୁତୁକୁରି, ମୋହରାଡିହି, ପାୱାରତଲା, ବସ୍ତିଡିହି, ବାବନି, ସିରିଗିଡି ଏଭଳି ପାଖାପାଖି ୩୦ଟି ଗାଁ ସହ ପଡୋଶୀ ଛତିଶଗଡକୁ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ମଚାରୀ ପହଞ୍ଚି ଧନ ଜୀବନ କିଭଳି ନଷ୍ଟ ନହୁଏ ସେଥିପାଇଁ ରାସ୍ତାକୁ ବନ୍ଦ କରିଛନ୍ତି ।