ରାହୁଲ୍‌ଙ୍କ ଆବେଦନ ଖାରଜ କଲେ ସୁରତ ଅଦାଲତ; ବିକଳ୍ପ ଦେଖିବ କଂଗ୍ରେସ

Apr 20, 2023 - 08:04
 26
ରାହୁଲ୍‌ଙ୍କ ଆବେଦନ ଖାରଜ କଲେ ସୁରତ ଅଦାଲତ; ବିକଳ୍ପ ଦେଖିବ କଂଗ୍ରେସ
ସୁରତ: ୨୦୧୯ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କରାଦଣ୍ଡାଦେଶ ଦେଇଥିବା ନିମ୍ନ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିବା ଲାଗି ରାହୁଲ୍‌ ଗାନ୍ଧୀ କରିଥିବା ଆବେଦନକୁ ଆଜି ସୁରତ ସେସନ୍‌ କ‌ୋର୍ଟ ଖାରଜ କରି ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ଉଭୟ ପକ୍ଷର ଶୁଣାଣି କରି ସେସନ୍‌ କୋର୍ଟର ଅତିରିକ୍ତ ସେସନସ୍‌ ଜଜ୍ ଆର୍. ପି. ମୋଗେରା ଏପ୍ରିଲ୍‌ ୨୦ ତାରିଖ ପର୍ଯ୍ୟନ୍ତ ରାୟ ସଂରକ୍ଷଣ ରଖି‌ଥିଲେ। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସ ପାର୍ଟିର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଏଥିପାଇଁ ଦଳ ଆଇନ ବ୍ୟବସ୍ଥାରେ ଥିବା ସବୁ ପ୍ରକାର ବିକଳ୍ପର ଉପଯୋଗ କରିବ। ସ୍ମରଣଯୋଗ୍ୟ, ୨୦୧୯ରେ କର୍ଣ୍ଣାଟକର କୋଲାର୍‌ରେ ଏକ ନିର୍ବାଚନୀ ରାଲିରେ ଉଦ୍‌ବୋଧନ ଦେବା ବେଳେ ରାହୁଲ୍‌ ଗାନ୍ଧୀ କହିଥିଲେ, ସବୁ ମୋଦୀ ସାଙ୍ଗିଆଧାରୀମାନେ ଚୋର କାହିଁକି? ଏହାକୁ ସମଗ୍ର ମୋଦୀ ସାଙ୍ଗିଆ ସମ୍ପ୍ରଦାୟ ପ୍ରତି ମାନହାନିସୂଚକ ମନ୍ତବ୍ୟ ଦର୍ଶାଇ ‘ବିଜେପି’ ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲ୍‌ଙ୍କ ନାମରେ ଅପରାଧିକ ମାନହାନି ମାମଲା ରୁଜୁ କରିଥିଲେ। ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କରାଦଣ୍ଡାଦେଶ ଓ ୧୫୦୦୦ ଟଙ୍କା ଅର୍ଥଦଣ୍ଡଦେଶ ପାଇବା ପରେ ରାହୁଲ୍‌ ଗାନ୍ଧୀଙ୍କୁ ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ଘୋ‌ଷଣା କରାଯାଇଥିଲା। ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ଚାଲେଞ୍ଜ୍‌ କରି ରାହୁଲ୍‌ ଗାନ୍ଧୀ ସୁରତ ସେସନ୍‌ କୋର୍ଟରେ ଆବେଦନ କରିଥିଲେ। ସେସନ୍‌ ଅଦାଲତଙ୍କୁ ରାହୁଲ୍‌ଙ୍କ ଓକିଲ କହିଥିଲେ କି, ଏଭଳି ମନ୍ତବ୍ୟ ପାଇଁ କଠୋର ଦଣ୍ଡାଦେଶ ଅନାବଶ୍ୟକ। ଅନୁଚିତ ବିଚାର କରାଯାଇଛି।