ରାଜଧାନୀରୁ ଲୁଟି କଟକ ମୁହାଁ ହୋଇଥିଲେ ୪ ବଙ୍ଗୀୟ ଯୁବକ, ମାଡ଼ି ବସିଲା ପୁଲିସ୍‌

Jan 27, 2022 - 13:54
 50
ରାଜଧାନୀରୁ ଲୁଟି କଟକ ମୁହାଁ ହୋଇଥିଲେ ୪ ବଙ୍ଗୀୟ ଯୁବକ, ମାଡ଼ି ବସିଲା ପୁଲିସ୍‌
ଭୁବନେଶ୍ୱର: ଦୋକାନରେ ଗ୍ରାହକ ସାଜି ପଶୁଥିଲେ। ଦୋକାନୀଙ୍କ ସହ ଯୁକ୍ତିତର୍କ କରୁଥିଲେ। ସୁବିଧା ଦେଖି କ୍ୟାସ୍ କାଉଣ୍ଟରକୁ ଟାର୍ଗେଟ କରି ଖାଲି କରି ଦେଉଥିଲେ। ଏହାପରେ ଆଖି ପିଛୁଳାକେ ଛୁ ହୋଇ ଯାଉଥିଲେ। ଏପରି ଫଣ୍ଡା ଆପଣାଇ ବ୍ରହ୍ମପୁରରୁ ଲୁଟ୍‌ ଅଭିଯାନ ଆରମ୍ଭ କରି ରାଜଧାନୀର ୪ଟି ଦୋକାନରେ କଳାକନା ବୁଲାଇବା ପରେ କଟକ ମୁହାଁ ହୋଇଥିବା ଏକ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୁଲିସ୍‌। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟୁଇନ ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ରାଜଧାନୀରେ ୫ ଦିନରେ ୪ଟି ଲୁଟ୍‌ ଘଟଣା ଘଟିବା ପରେ ଅଧିକ ତତ୍ପର ହୋଇ ଉଠିଥିଲା ପୁଲିସ୍‌। ଏନେଇ ୫ ଦିନରେ ୪ଟି ମାମଲା ରୁଜୁ କରି ୪ ଜଣିଆ ବଙ୍ଗୀୟ ଗ୍ୟାଙ୍ଗକୁ ଧରିଛି ପୁଲିସ୍‌। ଏହି ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ହୋଇଥିବା ବେଳେ ସେମାନେ ମୁଖ୍ୟତଃ ଔଷଧ ଦୋକାନକୁ ଟାର୍ଗେଟ କରୁଥିଲେ। ଏଥିପାଇଁ ଆପଣାଉଥିଲେ ସ୍ୱତନ୍ତ୍ର ପଣ୍ଡା। ପ୍ରଥମେ ଦୋକାନରେ ପଶି ଦୋକାନୀ ସହ ଦରଦାମକୁ ନେଇ ଯୁକ୍ତିତର୍କ କରୁଥିଲେ। ଏହାପରେ ସେମାନଙ୍କ ଲକ୍ଷ୍ୟଚ୍ୟୁତ ହେବା ପରେ ଟଙ୍କା ନେଇ ଛୁ ମାରୁଥିଲେ। ଗିରଫ ୪ ଅଭିଯୁକ୍ତଙ୍କ ନିକଟରୁ ୩୯ ହଜାର କ୍ୟାସ, ୪ଟି ମୋବାଇଲ, ୨ଟି ଭୋଟର କାର୍ଡ, ଗୋଟିଏ ଆଧାର କାର୍ଡ ଜବତ ହୋଇଛି । ଗତ ୨୦ ତାରିଖରେ ବଡ଼ଗଡ଼ରେ, ୨୧ ତାରିଖରେ ନୂଆପଲ୍ଲୀ, ୨୨ ତାରିଖରେ ଲିଙ୍ଗରାଜ, ୨୪ ତାରିଖରେ ଖାରବେଳ ନଗରରେ ଲୁଟ୍‌ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ଏସିପି ସଞ୍ଜୀବ ଶତପଥୀଙ୍କ ତତ୍ତ୍ୱାବଧନରେ ଏକ ଟିମ୍‌ ଗଠିତ ହୋଇଥିଲା। ଯେଉଁ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରାଜଧାନୀ ଭୁବନେଶ୍ୱରରୁ ଏହି ୪ ଜଣଙ୍କୁ ଗିରଫ କରିଛି।