ଭୋକର ଭୂଗୋଳ ଆଜି ଭାତହାଣ୍ଡି

Jan 15, 2021 - 07:43
 84
ଭୋକର ଭୂଗୋଳ ଆଜି ଭାତହାଣ୍ଡି
କଳାହାଣ୍ଡି ୧୫/୦୧(ସକାଳଖବର): ଭୋକର ଭୂଗୋଳରୁ ମୁକ୍ତ ହୋଇ ଏବେ ଭାତହାଣ୍ଡିର ପରିଚୟ ପାଇଛି। ଗୁରୁବାର ପବିତ୍ର ମକର ସଂକ୍ରାନ୍ତିରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ମଙ୍ଗଳପୁର ହାତୀ ବ୍ୟାରେଜ୍‌ ପରିସରରେ ନିର୍ମିତ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ୍‌ର ଲୋକାର୍ପଣ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ମଞ୍ଚରୁ ସେ ୧୦୬୪ କୋଟି ଟଙ୍କାରେ ନିର୍ମିତ ଜିଲ୍ଲାର ୫୪ଟି ପ୍ରକଳ୍ପର ଲୋକାର୍ପଣ କରିବା ସହ ୧୦୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୫୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମାଦ ମାଣିକେଶ୍ବରୀଙ୍କୁ ପ୍ରଣାମ କରି ଭାଷଣ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଳାହାଣ୍ଡିର ବିକାଶ ପାଇଁ ଇନ୍ଦ୍ରାବତୀ ନଦୀକୁ ସମସ୍ତ ଶ୍ରେୟ ଦେଇଛନ୍ତି ଏବଂ ଏହି ଅବଦାନ ପାଇଁ ଏକ ମ୍ୟୁଜିୟମ ଓ ପାର୍କ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ସଭାସ୍ଥଳରେ ପ୍ରାୟ ୨୫୦୦ ଲୋକଙ୍କ ସମାଗମ ସହ ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ସମଗ୍ର ଜିଲ୍ଲା‌ର ସବୁ ପଞ୍ଚାୟତରେ ଲୋକମାନେ ବଡ଼ ଟିଭି ପରଦାରେ ଦେଖିଛନ୍ତି। ତେବେ ଏହି ବୃହତ ଉଠା ଜଳପ୍ରକଳ୍ପ ଯୋଗୁଁ କଳାହାଣ୍ଡିର ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଳକ ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ଏଥିରେ ୩ ଲକ୍ଷ ଲୋକ ଉପକୃତ ହେବେ । କଳାହାଣ୍ଡି ଜିଲ୍ଲାର ସାଲେଭଟା ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ, ଚମ୍ପାଦେଈପୁର ବୃହତ ଉଠାଜଳସେଚନ ପ୍ରକଳ୍ପ, ଗୋପୀନାଥପୁର ବୃହତ ଉଠା ଜଳସେଚନ ପ୍ରକଳ୍ପ, ଟେରାଙ୍ଗସିଲ ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ, ସାନ୍ଦୁଲ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିର ଦିନ ଜିଲ୍ଲା ପାଇଁ ଐତିହାସିକ ଦିନ ବୋଲି ବିଭିନ୍ନ ବକ୍ତା କହିଥିଲେ। ପାର୍ଟି ଅପେକ୍ଷା ମାଟିର ବିକାଶ ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦିଆଯାଇଥିଲା। ସ୍ଥାନୀୟ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ମୌଷଧୀ ବାଗ ସ୍ୱାଗତ ଭାଷଣ ଦେଇଥିଲେ। ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଜଳସମ୍ପଦ ମୁଖ୍ୟ ସଚିବ ଅନୁ ଗର୍ଗ ପ୍ରମୁଖ ବକ୍ତବ୍ୟ ରଖିଥିଲେ। କଳାହାଣ୍ଡି ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଉପସ୍ଥିତ ଥିଲେ। କାଶୀପୁର ୨୨୦-୩୩ କେଭି ଗ୍ରୀଡରୁ ଏକ ବିକଳ୍ପ ୩୩ କେଭି ଫିଡର୍‌ ଲାଇନ ଥୁଆମୂଳ ରାମପୁରକୁ ସଂଯୋଗ କରିବ । ଏଥିପାଇଁ ୪ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲରେ ୫୨ କୋଟି ଟଙ୍କାରେ ୧୩୨-୩୩ କେଭି ଗ୍ରୀଡ ସବଷ୍ଟେସନ, ଦଶପୁରରୁ ମଖଲା ପର୍ଯ୍ୟନ୍ତ ତେଲନଦୀ କୂଳରେ ୧୧ କେଭିର କୃଷି ଫିଡର୍‌ ଲାଇନ ସମେତ ବହୁ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଏହି ସଭା ସ୍ଥଳୀରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ସୁଶାନ୍ତ ସିଂ, ପ୍ରତାପ ଜେନା, ଦେବୀ ମିଶ୍ର, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜିତେନ୍ଦ୍ର ନାରାୟଣ ସିଂହଦେଓ ସମେତ ଅନେକ ବିଧାୟକ ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଉଭୟ ସାଂସ୍କୃତିକ ମଞ୍ଚରେ ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍‌ସ ଗ୍ରୁପ୍‌, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ବଜାଶାଲ, ରିଦିମ୍‌ ସ୍କିଲ୍‌ ଜୟପାଟଣା, ନୃତ୍ୟାଙ୍ଗନା ଭବାନୀପାଟଣା, ଜଗତ ଜନନୀ ଘୁମୁରା ଦଳ ଜୟପାଟଣା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ। ଶେଷରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଧନ୍ୟବାଦ ଦେଇଥିଲେ। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପଦ୍ମନାଭ ପଣ୍ଡା, ଏଲ୍‌ଆଣ୍ଡ୍‌ଟି କର୍ତୃପକ୍ଷ, ସମାଜସେବୀ ମାଣିକ୍ୟ ଜ୍ୟୋତି ପଣ୍ଡା ସ୍ଥାନୀୟ ପ୍ରଶାସନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା।