ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Feb 15, 2019 - 19:42
 225
ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୫/୨(ସକାଳଖବର): କାଳିଆ ଯୋଜନା ଆଜି ସାରା ଦେଶକୁ ବାଟ ଦେଖାଇଛି । ଏଥିରେ ଛୋଟ ଚାଷୀ, ଭୂମିହୀନ ଚାଷୀ, ଭାଗଚାଷୀ ସମସ୍ତଙ୍କ ପାଇଁ ବ୍ୟବସ୍ଥା ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ଆୟୋଜିତ ଏକ ଚାଷୀ ସମାବେଶରେ ଭୂମିହୀନ ଚାଷୀମାନଙ୍କ ପାଇଁ କାଳିଆ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରି ଏହା କହିଛନ୍ତି । ଚାଷୀମାନଙ୍କ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା କାଳିଆ ଯୋଜନାରେ ଆଜି ଭୂମିହୀନ ଚାଷୀମାନଙ୍କୁ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩.୫୦ ଲକ୍ଷ ଭୂମିହୀନ ଚାଷୀ ସହାୟତା ପାଇଛନ୍ତି । ସମୁଦାୟ ୧୦ଲକ୍ଷ ଭୂମିହୀନ ଚାଷୀ ଏହି ସହାୟତା ପାଇବେ । ପ୍ରତ୍ୟେକ ଭୂମିହୀନ ଚାଷୀ ଜୀବନ ଜୀବିକା ପାଇଁ ସମୁଦାୟ ୧୨,୫୦୦ ଟଙ୍କା ଲେଖାଏଁ ସହାୟତା ପାଇବେ । ଆଜି ସେମାନେ ୫୦୦୦ ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରାପଡ଼ା ବିଜୁବାବୁଙ୍କ କର୍ମଭୂମି । ତେଣୁ କେନ୍ଦ୍ରାପଡ଼ା ପ୍ରତି ମୋର ସ୍ୱତନ୍ତ୍ର ଭାବଗତ ସମ୍ପର୍କ ରହିଛି । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ନିକଟରେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏକ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ସେଥିରେ ଭୂମିହୀନ ଚାଷୀଙ୍କ ପାଇଁ କିଛି ସୁବିଧା ନାହିଁ । ସେମାନଙ୍କୁ ସାମିଲ କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲି । ଭୂମିହୀନ ଚାଷୀଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ତାଙ୍କ ଦାବି ଦୋହରାଇଥିଲେ ।