ବୋଷ୍ଟନ୍‌ରେ ପାଳିତ ହେବ ଭାରତୀୟ ସ୍ୱାଧୀନତା ଦିବସ, ଭାଗନେବେ ୩୨ ଦେଶ

Aug 9, 2022 - 05:34
 48
ବୋଷ୍ଟନ୍‌ରେ ପାଳିତ ହେବ ଭାରତୀୟ ସ୍ୱାଧୀନତା ଦିବସ, ଭାଗନେବେ ୩୨ ଦେଶ
ନୂଆଦିଲ୍ଲୀ ୦୯/୦୮: ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ଭାରତ ପାଳନ କରିବ ୭୫ତମ ସ୍ୱାଧୀନତା ଦିବସ । ଏହାର ଅବ୍ୟବହିତ ପୂର୍ବରୁ ଦେଶରେ ଉତ୍ସାହ ଦେଖିବାକୁ ମିଳିଲାଣି । ଏହି କ୍ରମରେ ବୋଷ୍ଟନ୍‌ରେ ପାଳିତ ହେବ ଭାରତୀୟ ସ୍ୱାଧୀନତା ଦିବସ । ଏଥିରେ ୩୨ଟି ଦେଶ ଭାଗ ନେବେ । ଏ ଅବସରରେ ଏକ ବିମାନ ୨୨୦ ଫୁଟର ଭାରତୀୟ ଜାତୀୟ ପତାକା ସହିତ ପ୍ରମୁଖ ଆମେରିକୀୟ ସହରରେ ଉଡ଼ାଣ ଭରିବ । ବୋଷ୍ଟନ୍‌ରେ ଭାରତର ସ୍ୱାଧୀନତା ଦିବସ ପାଳନ ଇତିହାସରେ ଚଳିତ ବର୍ଷର ସମାରୋହ ବିଭିନ୍ନ ଦୃଷ୍ଟିରୁ ପ୍ରଥମ ବୋଲି ପ୍ରଖ୍ୟାତ କମ୍ୟୁନିଟି ଲିଡର ଅଭିଷେକ ସିଂହ କହିଛନ୍ତି । ମାସାଚୁସେଟ୍ସର ଗଭର୍ନର ଚାର୍ଲି ବେକର୍‌ ୭୫ତମ ସ୍ୱାଧୀନତା ଦିବସକୁ ଭାରତ ଦିବସ ରୂପେ ଘୋଷଣା କରିଛନ୍ତି । ଆସନ୍ତା ୧୫ ତାରିଖରେ ଏହା ମାସାଚୁସେଟ୍ସର ବୋଷ୍ଟନ୍‌ ସ୍ଥିତ ଇଣ୍ଡିଆ ଷ୍ଟ୍ରିଟ୍‌ରେ ପାଳିତ ହେବ । ଏହାର ପୂର୍ବ ଦିନ ଅର୍ଥାତ ଅଗଷ୍ଟ ୧୪ ତାରିଖରେ ରୋଡ୍‌ ଦ୍ୱୀପରେ ସ୍ଥିତ ଷ୍ଟେଟ୍‌ ହାଉସ୍‌ରେ ମଧ୍ୟ ସମାରୋହ ପାଳିତ ହେବ । ୧୫ ତାରିଖରେ ଆୟୋଜିତ ହେବାକୁ ଥିବା ପରେଡ୍‌ରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଆର୍‌ ପି ସିଂହଙ୍କୁ ଗ୍ରାଣ୍ଡ ମାର୍ଶଲ ଭାବେ ଆମନ୍ତ୍ରିତ କରାଯାଇଛି । ଏଫ୍‌ଆଇଏ ନ୍ୟୁ ଇଂଲଣ୍ଡ ଆଜାଦି କା ଅମୃତ ମହୋତ୍ସବ ବ୍ୟାନର୍‌ ଅଧୀନରେ ଭାରତର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବରିଷ୍ଠ ବ୍ୟକ୍ତିମାନଙ୍କ ଦ୍ୱାରା ଏକ ଭବ୍ୟ ପରେଡ୍‌ ଆୟୋଜିତ ହେବ । ଦେଶର ବିବିଧତାକୁ ଏହା ପ୍ରତିନିଧିତ୍ୱ କରିବ । ଆମେରିକା ଇତିହାସରେ ପ୍ରଥମ ଥର ୩୨ ଦେଶର ପ୍ରତିଯୋଗୀମାନେ ଏହି ପରେଡ୍‌ରେ ଭାଗ ନେବେ । ସେତିକି ନୁହେଁ, ଏଫ୍‌ଆଇଏ ନ୍ୟୁ ଇଂଲଣ୍ଡ ପ୍ରଥମ ଥର ଇଣ୍ଡିଆ ଷ୍ଟ୍ରିଟ୍‌ରେ ସ୍ୱାଧୀନତା ସଂଗ୍ରାମର ନାୟକମାନଙ୍କ ସ୍ମୃତିଚାରଣ କରି ଫ୍ରିଡମ୍‌ ଗ୍ୟାଲେରୀ ଓ ପ୍ରଦର୍ଶନୀର ସଂଚାଳନା କରିବ