ବିଶିଷ୍ଟ କ୍ରୀଡ଼ାବିତ୍ ବ୍ରଜ ସୁନ୍ଦର ଦାଶଙ୍କୁ ଅଣଦେଖା

Aug 30, 2018 - 14:26
 182
ବିଶିଷ୍ଟ କ୍ରୀଡ଼ାବିତ୍ ବ୍ରଜ ସୁନ୍ଦର ଦାଶଙ୍କୁ ଅଣଦେଖା
ବାରିପଦା,୩୦/୦୮(ସକାଳଖବର): ବାରିପଦା ପୌରପରିଷଦ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କର ପ୍ରତିମର୍ତ୍ତି ସୁରକ୍ଷିତ ଅବସ୍ଥାରେ ରହିଥିବା ସମୟରେ ବିଶିଷ୍ଟ କ୍ରୀଡ଼ାବିତ ବ୍ରଜ ସୁନ୍ଦର ଦାସଙ୍କ ପ୍ରତିମୂର୍ତ୍ତିର କୌଣସି ଖୋଜ ଖବର ନାହିଁ । ବାରିପଦା ଷ୍ଟାଡ଼ିୟମ ପରିସର ମୁଖ୍ୟ ଫାଟକ ନିକଟରେ ଏକ ପିଣ୍ଡି ପୌରପରିଷଦର ପୂଜ୍ୟପୂଜାକୁ ପରିହାସ କରୁଥିବାର ପରିଲକ୍ଷିତ ହେଉଛି । ଆମ ଜିଲ୍ଲା ପ୍ରତିନିଧି ବିଶିଷ୍ଟ କ୍ରୀଡ଼ାବିତ୍ ବ୍ରଜ ସୁନ୍ଦରଙ୍କ ପ୍ରତିମୂର୍ତ୍ତି କୁଆଡେ଼ ଗଲା ସେ ସମ୍ପର୍କରେ ସୂଚନା ସଂଗ୍ରହ ନିମନ୍ତେ ପୌରପରିଷଦରେ ପହଞ୍ଚିବା ପରେ ପ୍ରତିମୂର୍ତ୍ତି ବିଷୟରେ ସୂଚନା ମିଳିବା ଦୂରର ବିଷୟ ବ୍ରଜ ସୁନ୍ଦର କିଏ ସେ ବିଷୟରେ କାହାକୁ କିଛି ଜଣା ନଥିଲା । ଏହି ବିଶିଷ୍ଟ କ୍ରୀଡ଼ାବିତ ବନାରସ ବିଶ୍ୱବିଦ୍ୟାଳୟରୁ ମର୍ଯ୍ୟାଦାଜନକ କାବ୍ୟ ସାଂଖ୍ୟତୀର୍ଥ ଉପାଧୀପ୍ରାପ୍ତ ହୋଇ ବାରିପଦା ସଂସ୍କୃତ ଟୋଲରେ ମୁଖ୍ୟ ଆଚାର୍ଯ୍ୟପଣ୍ଡିତ ବୁଦ୍ଧି ନାଥ ଦାଶଙ୍କ ଜ୍ୟେଷ୍ଟ ପୁତ୍ର ଭାବେ ୧୯୦୫ ଜୁଲାଇ ପହିଲାରେ ଭୂମିଷ୍ଠ ହୋଇଥିଲେ । ବାଲ୍ୟକାଳରୁ ଖେଳକୁଦ ପ୍ରତି ଆକୃଷ୍ଟ ହୋଇ ନିଜ ପ୍ରତିଭାର ପରିଚୟ ଦେଇଥିଲେ । ମାଟ୍ରିକୁ୍ୟଲେସନ ପଢ଼ୁଥିବା ସମୟରେ ସ୍କୁଲ ଟିମକୁ ସଂଗଠିତ କରାଇ ଶ୍ରୀରାମଚନ୍ଦ୍ର ମେମୋରିଆଲ ସିଲଡ଼ ପ୍ରତିଯୋଗିତାରେ ଭାଗ ନେଇ ସର୍ବଶ୍ରେଷ୍ଠ ସିଲଡ଼ ଅର୍ଜନ କରିଥିଲେ । ମୟୂରଭଞ୍ଜ ଜିଲ୍ଲାରେ ଯୁବ ଖେଳାଲୀମାନଙ୍କୁ ନେଇ ଏକ ଫୁଟବଲ ଟିମ ଗଠନ କରିଥିଲେ । ୧୯୨୮ରେ ବିହାର-ଓଡ଼ିଶା ଅଲମ୍ପିକ ଓ ପରେ ଲେବର ଅଲମ୍ପିକରେ ହଡ଼ଲସ ଓ ହପ୍ଷ୍ଟେପ୍ ଜମ୍ପ ଇତ୍ୟାଦିରେ ଭାଗ ନେଇ ସାଫଲ୍ୟ ହୋଇଥିଲେ । ପୁଣି ପାଟନା ସାଇନଓ ମହାବିଦ୍ୟାଳୟରେ ଇନ୍ସପେକ୍ଟର ଅଫ ଗେମସ୍ ପଦବୀରେ ନିଯୁକ୍ତି ପାଇଥିଲେ । ୧୯୩୧ରେ ବାରିପଦା ଏମକେସି ହାଇସ୍କୁଲରେ ଖେଳ ଶିକ୍ଷକ ଭାବେ ମହାରାଜାଙ୍କ ଦ୍ୱାରା ନିଯୁକ୍ତି ପାଇଥିଲେ । ଏହି ସମୟରେ ବାରିପଦା ସ୍କୁଲ ଟିମ ସହିତ ବାରିପଦା ଟାଉଉନ କ୍ଲବକୁ ପ୍ରଶିକ୍ଷଣ ଦେଉଥିବା ସମୟରେ ମହାରାଜା ପ୍ରତାପଚନ୍ଦ୍ରଙ୍କ ପୃଷ୍ଠପୋଷକତାରେ ୧୯୩୨ରୁ ୪୩ ପର୍ଯ୍ୟନ୍ତ କୋଲକାତା ଯାଇ ଫୁଟବଳ ଖେଳର ଆଧୁନିକ କଳା କୌଶଳ ଉପରେ ସ୍ୱତନ୍ତ୍ର ତାଲିମ ନେବା ସାଙ୍ଗକୁ ଏରିଆନଓ ଟିମ ପାଇଁ ଖେଳୁଥିଲେ । ଫୁଟବଲ ଖେଳର ଏହି କିମ୍ବଦନ୍ତୀ ପୁରୁଷ ବ୍ରଜବାବୁଙ୍କୁ ବାରିପଦା ପୌରପରିଷଦ ଆଜି ଅଣଦେଖା ପ୍ରଦର୍ଶନ କରୁଥିବାରୁ ଏହା ଜିଲ୍ଲାର ଫୁଟବଳ ଖେଳାଳୀ ଓ ଫୁଟବଲ ପ୍ରେମୀମାନଙ୍କ ହୃଦୟରେ ଗଭୀର ଆଘାତ ପହଞ୍ଚାଇଛି ।