ବିରାଟ୍ କୋହଲିଙ୍କ ବଡ଼ ଘୋଷଣା, ଛାଡ଼ିବେ ଟି-୨୦ କ୍ୟାପଟେନ୍ ପଦ

Sep 16, 2021 - 16:10
 57
ବିରାଟ୍ କୋହଲିଙ୍କ ବଡ଼ ଘୋଷଣା, ଛାଡ଼ିବେ ଟି-୨୦ କ୍ୟାପଟେନ୍ ପଦ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସବୁଠାରୁ ସଫଳ କ୍ୟାପଟେନ୍ ବିରାଟ୍ କୋହଲି ଆଜି ବଡ଼ ଘୋଷଣା କରିଛନ୍ତି। କୋହଲି ଟି-୨୦ କ୍ୟାପଟେନ୍ ପଦ ଛାଡ଼ିବାକୁ ନଷ୍ପତ୍ତି ନେଇଛନ୍ତି। ଅକ୍ଟୋବରରେ ଖେଳାଯିବାକୁଥିବା ଟି-୨୦ ବିଶ୍ୱକପ୍ ପରେ କୋହଲି ଏହି ଛୋଟିଆ ଫର୍ମାଟର କ୍ୟାପଟେନ୍ ପଦ ଛାଡ଼ିବେ। ଆଜି କୋହଲି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। କୋହଲି କହିଛନ୍ତି ଯେ ସେ ଟିମ୍‌ର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଓ ରୋହିତ୍ ଶର୍ମାଙ୍କ ସମେତ ସାଥୀ ଖେଳାଳିଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମଧ୍ୟ କୋହଲି ସୀମିତ ଓଭର କ୍ୟାପଟନ୍ ପଦ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ଆଉ ତାଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କୁ ନେତୃତ୍ୱଭାର ଦିଆଯିବ ବୋଲି ସୂଚନା ମିଳିଥିଲା। କୋହଲିଙ୍କ ଇସ୍ତଫା ପରେ ରୋହିତ୍ ଟି-୨୦ ଟିମର କ୍ୟାପଟେନ୍ ହୋଇପାରନ୍ତି। କୋହଲି ଟ୍ୱିଟ୍ କରି ଲେଖିଛନ୍ତି, ‘ମୁଁ ଭାଗ୍ୟବାନ ଯେ ମୋତେ ଭାରତର ପ୍ରତିନିଧିତ୍ୱ କରିବା ସହ କ୍ୟାପଟେନ୍ ପଦର ଦାୟିତ୍ୱ ମଧ୍ୟ ମିଳିଥିଲା। ମୋର ଏହି ଅଭିଯାନରେ ଯେଉଁମାନେ ମୋତେ ସମର୍ଥନ କରିଛନ୍ତି, ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ଏମାନଙ୍କ ବିନା କିଛି ବି କରିପାରିନଥାନ୍ତି। ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ୍, ଚୟନ କମିଟି, ମୋଚ୍ କୋଚ୍ ଏବଂ ବିଜୟ ପାଇଁ କାମନା କରିଥିବା ପ୍ରତିଟି ଭାରତୀୟଙ୍କୁ ଧନ୍ୟବାଦ ଜଣାଉଛି।’ ସେ ଲେଖିଛନ୍ତି, ‘ଗତ ୮-୯ ବର୍ଷ ଧରି ମୋ ଉପରେ ଖୁବ୍ କାର୍ଯ୍ୟଭାର ଥିଲା। ଗତ ୫-୬ ବର୍ଷ ଧରି ମୁଁ ତିନୋଟି ଯାକ ଫର୍ମାଟରେ କ୍ୟାପଟେନ୍ ଦାୟିତ୍ୱ ବହନ କରିଆସୁଛି। ଟେଷ୍ଟ ଓ ଦିନିକିଆ କ୍ରିକେଟ୍ ପାଇଁ ନିଜକୁ ଭଲଭାବେ ପ୍ରସ୍ତୁତ କରିବା ପାଇଁ ମୋତେ କିଛିଟା ସ୍ପେଶ୍ ଦରକାର ହେଉଛି। ଟି-୨୦ କ୍ୟାପଟେନ୍ ଭାବେ ମୁଁ ମୋର ସର୍ବଶ୍ରେଷ୍ଠ ଅବଦାନ ଦେଇଛି। ଏବେ ମୁଁ କେବଳ ବ୍ୟାଟ୍ସମ୍ୟାନ୍ ଭାବେ ଏହି ଫର୍ମାଟରେ ଟିମକୁ ସବୁକିଚି ଦେବାକୁ ଚାହୁଁଛି।’ ଶେଷରେ ବିରାଟ୍ ଲେଖିଛନ୍ତି, ‘ହଁ, ଏହି ନିଷ୍ପତ୍ତିରେ ପହଞ୍ଚିବା ପାଇଁ ମୋତେ ଟିକେ ସମୟ ଲାଗିଲା। ନିଜ ନିକଟତର ଲୋକ, ରବି ଭାଇ (କୋଚ୍ ରବି ଶାସ୍ତ୍ରୀ) ଓ ରୋହିତଙ୍କ ସହ ମୁଁ ଅନେକ ଚର୍ଚ୍ଚା କରିବା ପରେ ନିଷ୍ପତ୍ତି ନେଲି ଯେ ଅକ୍ଟୋବରରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପରେ ଟି-୨୦ କ୍ୟାପଟେନ୍ ପଦ ଛାଡ଼ି ଦେବି। ମୁଁ ବିସିସିଆଇ ସମ୍ପାଦକ ଜୟ ଶାହ ଓ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏବଂ ସମସ୍ତ ଚୟନକର୍ତ୍ତାଙ୍କୁ ଏ ସମ୍ବନ୍ଧରେ ଜଣାଇ ଦେଇଛି। ମୁଁ ଭାରତୀୟ କ୍ରିକେଟ୍ ଓ ଭାରତୀୟ ଟିମ୍ ପାଇଁ କାମ କରିବା ଜାରି ରଖିବି।’