ବାଂଲାଦେଶରେ ପଦ୍ମାସେତୁ ରାସ୍ତାରୁ ବସ୍‌ ଖସି ୧୬ ମୃତ; ୩୦ ଆହତ

Mar 19, 2023 - 06:38
 23
ବାଂଲାଦେଶରେ ପଦ୍ମାସେତୁ ରାସ୍ତାରୁ ବସ୍‌ ଖସି ୧୬ ମୃତ; ୩୦ ଆହତ
ଢାକା: ଆଜି ସକାଳେ ବାଂଲାଦେଶର ରାଜଧାନୀ ଢାକା ଅଭିମୁଖେ ଯାଉଥିବା ଗୋଟାଏ ବସ୍‌ ପଦ୍ମାସେତୁର ଉଠାଣି ରାସ୍ତାରେ ବିପରୀତ ଦିଗକୁ ବୁଲିଯାଇ ତଳକୁ ଗଡ଼ିପଡ଼ିବାରୁ ଅନ୍ୟୂନ ୧୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ୩୦ଜଣ ଆହତ ହୋଇଛନ୍ତି। ଏହି ବସ୍‌ ଦୁର୍ଘଟଣା ମଦାରିପୁର ଅନ୍ତର୍ଗତ ଶିବଚର ଉପଜିଲ୍ଲାର କୁତୁବପୁର ଅଞ୍ଚଳରେ ଘଟିଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଥିବା ବ‌େଳେ ବାକି ଯାତ୍ରୀମାନଙ୍କର ହଠାତ୍‌ ପରିଚୟ ମିଳିପାରି ନାହିଁ। ଚିହ୍ନଟ ହୋଇଥିବା ମୃତ ତରୁଣୀ ହେଉଛନ୍ତି ଢାକା ବିଶ୍ବବିଦ୍ୟାଳୟରେ ଇଂରାଜୀ ବିଭାଗରେ ଅଧ୍ୟୟନ କରୁଥିବା ଦ୍ବିତୀୟ ବାର୍ଷିକୀ ଛାତ୍ରୀ ୨୦ ବର୍ଷୀୟ ସୁଇଟି। ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ଅଗ୍ନିଶମ ସେବା ଓ ପୁଲିସ ଉଦ୍ଧାର ଅଭିଯାନ ଚଳାଇଥିବା କଥା ଶିବଚର ରାଜପଥ ଥାନା ଭାରପ୍ରାପ୍ତ ଅଧିକାରୀ ଅବୁ ନୟିମ୍‌ ମହମ୍ମଦ୍‌ ମୋଫାଜେଲ୍‌ ହକ୍‌ କହିଛନ୍ତି। ଆଘାତର ସାଙ୍ଘାତିକତା ଆଧାରରେ ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ‘ଇମାଦ୍‌ ପରିବହନ’ ବସ୍‌ର ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍‌ ବିପରୀତ ଦିଗକୁ ବୁଲିପଡ଼ି ରାସ୍ତା କଡ଼କୁ ଖସି ପଡ଼ିଥିଲା ବୋଲି କେତେକ କହୁଛନ୍ତି। ସଂଗୃହୀତ ତଥ୍ୟ ଅନୁସାରେ, ସକାଳ ୮.୧୫ ମିନିଟ୍‌ ସୁଦ୍ଧା ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ଡ୍ରାଇଭର୍‌ ସମେତ ୧୪ଜଣଙ୍କ ଶବ ଉଦ୍ଧାର କରାଯାଇଛି। ବସ୍‌ଟି ପାହାନ୍ତା ୪ଟା ବେଳେ ଖୁଲଣାର ଫୁଲତାଲା ବସ୍‌ କାଉଣ୍ଟର୍‌ରୁ ବାହାରି ଶିବବାଡ଼ି ରୟାଲ୍‌ ହୋଟେଲ୍‌ ଇଣ୍ଟର୍‌ସେକ୍ସନ୍‌ ଏବଂ ସୋନାଡଙ୍ଗା ବସ୍‌ ଷ୍ଟପ୍‌ ବାଟ ଦେଇ ୪୩ଜଣ ଯାତ୍ରୀଙ୍କୁ ଧରି ଢାକା ଅଭିମୁଖେ ଯାତ୍ରା କରୁଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।