ବର୍ଦ୍ଧିିତ ଭତା ପାଇବାରୁ ବଂଚିତ ମଉଡମଣି

Jul 7, 2018 - 14:44
 145
ଭଦ୍ରକ, ୭/୭ (ସକାଳଖବର)- ଭୋଟର ତାଲିକା ଅନୁଯାୟୀ ପୁଅକୁ ୬୫ ବର୍ଷ ହେଲାଣି । ପ୍ରଶାସନ କହୁଛି ମାଆର ବୟସ ହୋଇନାହିଁ । ଫଳରେ ବର୍ଦ୍ଧିତ ଭତା ପାଇବାରୁ ବଂଚିତ ହୋଇଛନ୍ତି ଜଣେ ୮୧ ବର୍ଷର ବୃଦ୍ଧା । ଏହି ଜିଲାର ବନ୍ତ ବ୍ଲକ ନିଳୋକ ପଂଚାୟତ ଅଧୀନ ଭଣ୍ଡାରଗଡିଆ ଗ୍ରାମର ବିଶ୍ୱନାଥ ଜେନାଙ୍କ ମାଆ ମଉଡମଣିଙ୍କୁ ଏବେ ଭୋଟର ତାଲିକା ଅନୁଯାୟୀ ୮୧ ବର୍ଷ ବୟସ ହେଲାଣି । ସେ ୧୨ ବର୍ଷ ପୂର୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତା ତିନି ଶହ ଟଙ୍କା ଲେଖାଏଁ ପାଇଆସୁଥିଲେ । କିଛିବର୍ଷ ପୂର୍ବେ ରାଜ୍ୟ ସରକାର ଯେଉଁ ହିତାଧିକାରୀଙ୍କର ୮୦ ବର୍ଷରୁ ଊଦ୍ଧ୍ୱର୍ ହୋଇଛି ସେମାନଙ୍କୁ ୫ ଶହ ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ଏହି ବର୍ଦ୍ଧିତ ଭତା ପାଇବା ନେଇ ମଉଡମଣି ଗତବର୍ଷଠାରୁ ଅଦ୍ୟାବଧି ପଂଚାୟତଠୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଧାଇଁଛନ୍ତି । ହେଲେ ତାଙ୍କର ଗୁହାରୀ କେହି ଶୁଣି ନାହାନ୍ତି । ଫଳରେ ସେ ଗତ ମାସ ବନ୍ତ ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି । ଜିଲାପାଳ ସଂପୃକ୍ତା ବୃଦ୍ଧାଙ୍କ ଅଭିଯୋଗକୁ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ । ମାତ୍ର ସଂପୃକ୍ତ ବିଭାଗର ଅଧିକାରୀମାନେ କହୁଛନ୍ତି ତାଙ୍କର ବୟସ ହୋଇନାହିଁ । ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କଠାରୁ ଏପରି ନାସ୍ତିବାଣୀ ଶୁଣି ମଉଡମଣି ନିରାଶ ନହୋଇ ନିଜେ ପରିଶ୍ରମ କରି ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୧୭ ମସିହା ଭୋଟର ତାଲିକା ସଂଗ୍ରହ କରି ସାମାଜିକ ସୁରକ୍ଷା ଅଧିକାରୀଙ୍କଠାରେ ଦାଖଲ କରିଛନ୍ତି । ସେହି ତାଲିକା ଅନୁଯାୟୀ ତାଙ୍କର ବର୍ତମାନ ବୟସ ୮୧ ହେଲାଣି । ସଂପୃକ୍ତ ଅଧିକାରୀ ଉକ୍ତ ତାଲିକାକୁ ଯାଂଚ କରି ପଦକ୍ଷେପ ନେବେ ବୋଲି କହିଛନ୍ତି । ଅପରପକ୍ଷରେ ମଉଡମଣି ବହୁବର୍ଷ ପୂର୍ବେ ନିଜ ସ୍ୱାମୀଙ୍କୁ ହରାଇ ତିନି ପିଲାଙ୍କୁ ମଣିଷ କରିଛନ୍ତି । ଚଳିବା ପାଇଁ ନିଜ ପାଖରେ ଜମିବାଡି କିଛି ନାହିଁ । ସେଇଥିରେ ଦୁଇ ଝିଅଙ୍କୁ ବିବାହ କରାଇଛନ୍ତି । ଏବେ ତାଙ୍କ ପୁଅଙ୍କର ବୟସ ଆସି ୬୫ ବର୍ଷ ହେଲାଣି । ପୁଅ ଏବେ ବାର୍ଦ୍ଧକ୍ୟ ଭତା ପାଉଛନ୍ତି । ମାଆ-ପୁଅ ମିଶି ଯାହା ଭତା ପାଉଛନ୍ତି, ସେହିଥିରେ ଦୁଃଖେକଷ୍ଟେ ଚଳୁଛନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ବିହୀତ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି ।