ପ୍ରଧାନମନ୍ତ୍ରୀଙ୍କ ତାଳଚେର ଗସ୍ତ ନେଇ ପ୍ରସ୍ତୁତି ବୈଠକ
ଅନୁଗୋଳÿ,୧୫/୯ (ସକାଳଖବର): ଚଳିତ ମାସ ୨୨ ତାରିଖରେ ତାଳଚେର ସାରକାରଖାନାର ଭିତ୍ତିପ୍ରସ୍ତର ନିମନ୍ତେ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମାହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଶିଳ୍ପ ସଂସ୍ଥା, ଏମସିଏଲ, ଟିଟିପିଏସ, ନାଲକୋ, ଭାରିଜଳ କାରଖାନା ଓ ତାଳଚେର ସରକାରଖାନା ଲିଃର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ବିଭାଗୀୟ ଅଧିକାରୀମାନେ ନିଜ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖି ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ହେଲିପ୍ୟାଡ଼ରୁ ଅବତରଣ ପରେ ଭିତ୍ତି ପ୍ରସ୍ତର ସ୍ଥାନ ଓ ସଭାସ୍ଥଳକୁ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟକୁ ୧୭ ତାରିଖ ସୁଦ୍ଧା ସାରିବାକୁ ଏମସିଏଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ୩ଟି ହେଲିପ୍ୟାଡ଼, ବ୍ୟାରିକେଟ ଓ ସମସ୍ତ ସ୍ଥାନରେ ଆଲୋକ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ନିୟୋଜିତ ସ୍ୱତନ୍ତ୍ର ସୁରକ୍ଷା ଦଳଙ୍କ ସମେତ ୧୦୦ରୁ ଉଦ୍ଧ୍ୱର୍ ଅଫିସର ଓ ୩୦ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ନିୟୋଜିତ କର୍ମଚାରୀମାନଙ୍କର ରହିବା ନିମନ୍ତେ ଏମସିଏଲ,ଟି ଟି ପି ଏସ ଓ ନାଲକୋ ଠାରେ ସମସ୍ତ ପ୍ରକାର ଆୟୋଜନ ହେବା ସହ କାର୍ଯ୍ୟକ୍ରମ ସ୍ଥଳ ଓ ରହଣିସ୍ଥାନରେ ଆବଶ୍ୟକ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଭାରିଜଳ କାରଖାନାର କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ଗାଡ଼ି ପାର୍କିଂ ନିମନ୍ତେ ମିନାବଜାର ଠାରେ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ।ସେହିପରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ କାରକେଡ଼ ନିମନ୍ତେ ସ୍ୱତନ୍ତ୍ର ସୁରକ୍ଷାଦଳ ଓ ନିୟୋଜିତ ପୋଲିସ ଅଧିକାରୀଙ୍କ ପାଇଁ ଆବଶ୍ୟକ ଗାଡ଼ି ଯୋଗାଇ ଦେବାକୁ ତାଳଚେର ଓ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ଆଡ଼ଭାନ୍ସ ଲାଇଫ ସପୋର୍ଟ ସହ ଆଇ ସି ୟୁର ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଏମସିଏଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାରଙ୍କ ନିୟମାବଳୀ ଆଧାରରେ ପରିଚାଳନା କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନୋଡ଼ାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ୨୨ ତାରିଖ ସକାଳ ୯ଟା ସମୟରେ ଭୂବନେଶ୍ୱର ବିମାନବନ୍ଦରରୁ ଆସି ୯.୪୫ ମିନିଟରେ ପ୍ରଧାନମନ୍ତ୍ରୀ ସାଉଥବଲଣ୍ଡାର ବ୍ଲାକ ଡ଼ାଇମଣ୍ଡ ଷ୍ଟାଡ଼ିୟମ ହେଲିପ୍ୟାଡ଼ରେ ଅବତରଣ କରିବେ । ୧୦ ଘଟିକା ସମୟରେ ଏଫ ସି ଆଇ ପ୍ରଶାସନିକ ଭବନ ପରିସରରେ ତାଳଚେର ସାର କାରଖାନାର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ୧୦ ଘଟିକା ୩୦ ମିନିଟ ସମୟରେ ଏଫ.ସି.ଆଇ ଦେବୀ ମନ୍ଦିର ସମ୍ମୁଖରେ ଥିବା ବକ୍ସି ଜଗବନ୍ଧୁ ଷ୍ଟାଡ଼ିୟମରେ ସାଧାରଣ ସଭାକାର୍ଯ୍ୟ ସାରି ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଅଭିମୁଖେ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀଙ୍କର ଏହି ୧ଘଣ୍ଟା ୫୦ ମିନିଟର ସମସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା ନିମନ୍ତେ ଜିଲ୍ଲାପାଳ ବିଭାଗୀୟ ଅଧିକ୍ାରୀଙ୍କୁ ପରାମର୍ଶ ଦେଇଛନ୍ତି ।