ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ ଧ୍ରୁବର ଶୁଭାରମ୍ଭ

Oct 11, 2019 - 06:39
 147
ବେଙ୍ଗାଲୁର,୧୦/୧୦ ଆଜି ବେଙ୍ଗାଲୁରସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପରିସରରୁ ‘ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ-ଧ୍ରୁବ’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ । ଏହି କାର୍ଯ୍ୟକ୍ରମ ଅସାଧାରଣ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କ ଜୀବନର ମୋଡ଼ ବଦଳାଇଦେବ । ଏହା ମେଧାବୀ ତଥା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରତିଭାର ବିକାଶ ଲାଗି ମଂଚ ଯୋଗାଇ ଦେବ । ବିଜ୍ଞାନ, କଳା, ସୃଜନଶୀଳ ରଚନା ଆଦି ନିଜ ପସନ୍ଦର କ୍ଷେତ୍ରରେ ସେମାନଙ୍କୁ ଉକ୍ରର୍ଷ ହାସଲ ଲାଗି ସହାୟତା ମିଳିପାରିବ । ଏହି ମାର୍ଗରେ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ନିଜ ଭିତରେ ଥିବା ସମ୍ଭାବନାକୁ ବାସ୍ତବ ରୂପ ଦେବା ସହିତ ସାମଗ୍ରିକ ଭାବେ ସମାଜକୁ ଯୋଗଦାନ ଦେଇପାରିବେ । ଇସ୍ରୋର ଅଧ୍ୟକ୍ଷ ଡ. କେ ଶିବନ, ଭାରତର ପ୍ରଥମ ମହାକାଶଚାରୀ ୱିଙ୍ଗ କମାଣ୍ଡର ଶ୍ରୀ ରାକେଶ ଶର୍ମା, ଅଟଳ ଇନୋଭେସନ ମିଶନର ନିଦେ୍ର୍ଧଶକ ଶ୍ରୀ ଆର. ରମଣନ ଏହି ଅବସରରେ ଉପସ୍ଥିତ ଥିଲେ । ଧ୍ରୁବ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଚୟନ ହୋଇଥିବା ୬୦ଜଣ ପ୍ରତିଭାବାନ ବିଦ୍ୟାର୍ଥୀ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ବିଦ୍ୟାର୍ଥୀମାନେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ, ଡ. ଶିବନ ଓ ରାକେଶ ଶର୍ମାଙ୍କ ଠାରୁ ସେମାନଙ୍କ ଜୀବନ ଅନୁଭୂତି, ସଂଘର୍ଷ ଓ ସଫଳତା ବିଷୟରେ ଜାଣିବାକୁ ପାଇଥିଲେ । ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଦକ୍ଷତା ଓ ଜ୍ଞାନର ବିକାଶ ଲାଗି ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହା ଅନ୍ତର୍ଗତ ଦେଶର ବିଭିନ୍ନ ସ୍ଥାନରେ ଉକ୍ରର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଠାରେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କର ମାର୍ଗଦର୍ଶନ କରାଯାଇ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପୂର୍ଣ୍ଣ ସମ୍ଭାବନାକୁ ବିକଶିତ କରିବାରେ ସହାୟତା ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହିତ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶା କରାଯାଉଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ନିଶଙ୍କ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଆଧାରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଏବଂ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯିବା ନେଇ ସେ ଖୁସି ପ୍ରକଟ କରିଛନ୍ତି । କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଶ୍ରୀ ନିଶଙ୍କ କହିଥିଲେ ଯେ ଆମେ କଳା ଓ ବିଜ୍ଞାନ କ୍ଷେତ୍ରର ଛାତ୍ରଛାତ୍ରୀଙ୍କୁ ଏକତ୍ର ଏହି କାର୍ଯ୍ୟକ୍ରମରେ ସାମିଲ କରିଛୁ । ସାରା ଦେଶରୁ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯାଇଥିବାରୁ ଏହା ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ ।