ପ୍ରତିଷ୍ଠା ହେବ ଆଦର୍ଶ ବରପୁତ୍ର ଗ୍ରାମ: ରାଜ୍ୟପାଳ

Mar 25, 2022 - 07:33
 47
ପ୍ରତିଷ୍ଠା ହେବ ଆଦର୍ଶ ବରପୁତ୍ର ଗ୍ରାମ: ରାଜ୍ୟପାଳ
ଭୁବନେଶ୍ୱର: ରାଜ୍ୟର ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଆଦର୍ଶ ବରପୁତ୍ର ଗ୍ରାମ ପ୍ରତିଷ୍ଠା ହେବ । ବରପୁତ୍ର ଗ୍ରାମ ପାଇଁ ୧୧୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ତାଲିକା ସଂକଳିତ ହୋଇଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ରାଜ୍ୟପାଳ ଗୃହରେ ନିଜର ଅଭିଭାଷଣ ରଖି ଏହା କହିଛନ୍ତି । ଏହି ଅବରରେ ସେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ କହିଛନ୍ତି ଯେ ୨୦୨୧ରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ । ରାଜ୍ୟରେ ବାମପନ୍ଥୀ ଉଗ୍ରବାଦକୁ ଦୃଢତାର ସହ ଦମନ କରାଯାଉଛି । ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ଖସି ୧୦ରେ ପହଞ୍ଚିଛି । ପୁଲିସ ପଦକ୍ଷେପ ପାଇଁ ପ୍ରାୟ ୫୮ ଜଣ ମାଓବାଦୀ ନିହତ ହୋଇଛନ୍ତି । ୧୯୪ ମାଓବାଦୀଙ୍କୁ ଗିରଫ କରାଯାଇଛି ଓ ୧୦୮ ଜଣ ଆତ୍ମସମର୍ପଣ କରିଛନ୍ତି । ସେହିପରି ୨୦୨୧ରୁ ୨୬୭ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ୧୫୧ ଅନୈତିକ, ଅପାରଗ ଓ ଅସାଧୁ କର୍ମଚାରୀଙ୍କୁ ବିଦା କରାଯାଇଛି ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ରାଜ୍ୟର ପ୍ରତି ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ମାଗଣାରେ ସେବା ଦିଆଯାଉଛି । କ୍ୟାପିଟାଲ ହସ୍ପିଟାଲରେ ପିଜିଆଇ ପାଇଁ ସରକାର ମଞ୍ଜୁର କରିଛନ୍ତି । କରୋନା ମୁକାବିଲା ପାଇଁ ୫ କୋଟିରୁ ଅଧିକ ଟିକା ଦିଆଗଲାଣି । କରୋନା ଟେଷ୍ଟିଂ ପାଇଁ ବ୍ଲକସ୍ତରରେ ବି ବ୍ୟବସ୍ଥା କରାଯାଇଛି । ୩୦ ଜିଲ୍ଲାକୁ ରେଳ ସଂଯୋଗ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସଡ଼କ ନିର୍ମାଣ ଓ ପରିବହନ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଛି । ଏବେ ଓଡ଼ିଶା ଏକ ବିଦୁ୍ୟତ ବଳକା ରାଜ୍ୟ ହୋଇପାରିଛି । କୋଭିଡରେ ଲୋକଙ୍କୁ କାମ ଦେବାକୁ ୨୧ କୋଟି ଶ୍ରମ ଦିବସ କରାଯାଇଛି । କର୍ମସଂସ୍ଥାନ ହରାଇଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି । ଚାଷୀମାନଙ୍କୁ କାଳିଆ ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି । ୨୦୨୦-୨୧ରେ ୫୭ ଲକ୍ଷ ଚାଷୀ ପରିବାରକୁ ସହାୟତା ମିଳିଛି । ବଳରାମ ଯୋଜନାରେ ଭୂମିହୀନ, ଭାଗଚାଷୀଙ୍କୁ ସହାୟତା ଦିଆଯାଉଛି । ଚାଷୀଙ୍କୁ ୫୦ ହଜାର ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଛି । ସବୁ କଚ୍ଚା ଘରକୁ ପକ୍କା ଘର କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ବିଜୁ ପକ୍କା ଘର ଯୋଜନାରେ ୩୧ ଲକ୍ଷ ପକ୍କା ଘର ଯୋଗଇ ଦିଆଗଲାଣି । ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ଘର ମରାମତି ସହାୟତା ମିଳିଛି । ମରାମତି ପାଇଁ ହିତାଧିକାରୀ ପିଛା ୩ ହଜାର ଟଙ୍କା ପ୍ରଦାନ କରାଯାଇଛି । ମରାମତି ବାବଦରେ ମୋଟ ୧୪୪୦ କୋଟି ବ୍ୟୟ କରାଯାଇଛି । ମହିଳାଙ୍କୁ ସଶକ୍ତ କରିବାକୁ ମିଶନ ଶକ୍ତିକୁ ତ୍ୱରାନ୍ୱିତ କରାଯାଇଛି । ରାଜ୍ୟରେ ୬ଲକ୍ଷ ଏସଏଚଜିରେ ୧୭ ଲକ୍ଷରୁ ଅଧିକ ସଦସ୍ୟା ରହିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି । ଏହି ସ୍ୱଳ୍ପକାଳୀନ ବଜେଟ ଅଧିବେଶନ ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ । ଏହି ୭ ଦିନ ମଧ୍ୟରେ ରବିବାର ଛୁଟି ଦିନ ପଡୁଥିବାର ଅନ୍ୟ ୬ ଦିନ ଗୃହକାର୍ୟ୍ୟ ଚାଲିବ । ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିରୋଧୀ । ବଜେଟ ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ପହଞ୍ଚିଛନ୍ତି । କୋଭିଡ ସ୍ଥିତି ସ୍ୱାଭାବିକ ହେବା ପରେ ଅଧିବେଶନର ପ୍ରଥମ ଦିବସରେ ମୁଖ୍ୟମନ୍ତ୍ରୀ ବିଧାନସଭା ଆସିଛନ୍ତି । କାର୍ୟ୍ୟସୂଚୀ ଅନୁଯାୟୀ, ୨୮ ତାରିଖ ଯାଏଁ ମୋଟ ୩ ଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା ହେବ । ୩୦ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ । ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ଜରିଆରେ ଗୃହରେ ବ୍ୟୟ ମଞ୍ଜୁର ବିଲ୍ ପାରିତ କରାଯିବ ।