ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ରାଜ୍ୟର ସବୁ ଥାନାରେ ଏତଲା ଦେବ ବିଜେପି

Mar 2, 2023 - 09:40
 27
ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ରାଜ୍ୟର ସବୁ ଥାନାରେ ଏତଲା ଦେବ ବିଜେପି
ଭୁବନେଶ୍ବର: ରାଜଧାନୀର ଗାନ୍ଧୀମାର୍ଗରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ବିଜେପି ପକ୍ଷରୁ ରଣହୁଙ୍କାର ଦିଆଯାଇଛି। ଆସନ୍ତାକାଲି ରାଜ୍ୟର ସମସ୍ତ ପୁଲିସ ଥାନାରେ ପୁଲିସ ଡିଜି, ପୁଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ବିରୁଦ୍ଧରେ ଏତଲା ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି। ଆସନ୍ତା ୪ ତାରିଖରେ ରାଜ୍ୟର ସମସ୍ତ ଏସପି ଅଫିସ ଆଗରେ ଦଳର କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ବି ସେ ସୂଚନା ଦେଇଛନ୍ତି। ବିଜେପିର ଏତଲା ଯଦି ଥାନାରେ ଗ୍ରହଣ କରାନଯାଏ ଦଳ କୋର୍ଟର ଦ୍ୱାରସ୍ଥ ହେବ ବୋଲି ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ବିଜେପି ଯୁବ ମୋର୍ଚ୍ଚା ଓ ପୁଲିସ ମଧ୍ୟରେ ଘଟିଥିବା ଖଣ୍ଡଯୁଦ୍ଧ ମାମଲାରେ ପୁଲିସ କର୍ମଚାରୀଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା। ସରକାରଙ୍କ ହାତବାରିସୀ ସାଜି ପୁଲିସ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କର୍ମୀଙ୍କୁ ମାଡ଼ ମାରିଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଏତଲା ଦିଆଯିବା ସହ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା। ମାତ୍ର ୨୪ ଘଣ୍ଟା ବିତିବା ପରେ ବି କ୍ୟାପିଟାଲ ଥାନା ମାମଲା ରୁଜୁ କଲା ନାହିଁ। ତେଣୁ ଏହାର ପ୍ରତିବାଦରେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଲୋୟର୍ ପିଏମଜିରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।