ପୁଣି ୪ଟି ଗୋରୁ ବୋଝେଇ କଣ୍ଟେନର ଜବତ

Mar 7, 2019 - 07:42
 143
ପୁଣି ୪ଟି ଗୋରୁ ବୋଝେଇ କଣ୍ଟେନର ଜବତ
ଅନୁଗୋଳ,୬/୩(ସକାଳଖବର): ବଅଁରପାଳ ଥାନା ନରେନ୍ଦ୍ରପୁର ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଗୋରୁ ବୋଝେଇ ୪ଟି କଣ୍ଟେନର ଗାଡ଼ିକୁ ଜବତ କରିବା ସହ ଜଣେ ଗାଡ଼ି ଚାଳକଙ୍କୁ ଅଟକ ରଖିଛି । ଏହି ଗୋରୁ ବୋଝେଇ ଗାଡ଼ି ସମ୍ବଲପୁରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ସୂଚନା ଯେ, ଗୋ ସମ୍ପଦ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର । ଆଉ ଏହାରକ ଅଭିବୃଦ୍ଧି ପାଇଁ ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଗୋଟି ଗୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ତଥାପି ଗୋ ସମ୍ପଦ ବୃଦ୍ଧି ପାଇବାରେ ନା ଗନ୍ଧ ନାହିଁ । କେବଳ କାଗଜ କଲମରେ ଗୋ ସମ୍ପଦ ତଥା ତାର ସଂଖ୍ୟା ରହି ଯାଇଥିବାବେଳେ ବାସ୍ତବ କ୍ଷେତ୍ରରେ ସମ୍ପୂର୍ଣ୍ଣ ଓଲଟା । ଓଡ଼ିଶା ସମେତ ଅନୁଗୋଳ ଜିଲାର ବିଭିନ୍ନ ଅଞ୍ଚଳରୁ ଗୋ ବ୍ୟବସାୟୀଙ୍କ ମାଧ୍ୟମରେ ଶହ ଶହ ଗାଈ ବାହାର ରାଜ୍ୟକୁ ବିକ୍ରି ପାଇଁ ଚାଲାଣ କରାଯାଉଛି । ଏହି ଚାଲାଣ କାରବାରରେ ଏକ ବଡ଼ ର୍ୟାକେଟ୍ ମଧ୍ୟ କାମ କରୁଛି । ଯାହାକି ବେଆଇନ ଗୋରୁ ବୋଝେଇ ଗାଡ଼ିକୁ ବାଟରେ ଯେମିତି କେହି ଅଟକାଇ ପାରିବେନି ତା ନେଇ ମଧ୍ୟ ଏହି ର୍ୟାକେଟ୍ ହିସାବ ନିକାଶ କରୁଛି । ଗତ କିଛି ମାସ ପୂର୍ବରୁ ଅନୁଗୋଳ ଜିଲାର ବନ୍ତଳା ଅଞ୍ଚଳରେ ଗୋରୁ ବୋଝେଇ ଗାଡ଼ିକୁ ସ୍ଥାନୀୟ ଲୋକେ ଅଟକାଇ ଜବତ କରିବା ସହ ଗାଇ ଗୁଡ଼ିକୁ ବିଭିନ୍ନ ସ୍ଥାନକୁ ପଠାଇ ଦେଇଥିଲେ । ତାପର ଠାରୁ ଟିକେ ଗୋରୁ ଚାଲାଣ କମି ଯାଇଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ପୁଣି ଗୋ ଚାଲାଣ ହେଉଥିବା ନେଇ ସ୍ଥାନୀୟ ଲୋକେ ବଅଁରପାଳ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ବଅଁରପାଳ ପୋଲିସ ନରେନ୍ଦ୍ରପୁର ଠାରେ ରାତି ୨ଟା ବେଳେ ସମ୍ବଲପୁରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ୪ଟି କଣ୍ଟେନର ଗାଡ଼ିକୁ ଯାଞ୍ଚ କରିଥିଲା । ଆଉ ଏହି ୪ଟି ଗାଡ଼ିରେ ୨ଶହରୁ ଉଦ୍ଧ୍ୱର୍ ଗୋରୁ ବୋଝେଇ ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା । ପୋଲିସ ଗାଡ଼ିକୁ ଅଟକାଇବା ପରେ ଗାଡ଼ି ଡ଼୍ରାଇଭର, ହେଲପର ଫେରାର ହୋଇଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଗାଡ଼ି ଚାଳକଙ୍କୁ ପୋଲିସ ଅଟକାଇବାରେ ସଫଳ ହୋଇଥିଲା । ତେବେ ଏହି ଗୋରୁ ଗୁଡ଼ିକ ସମ୍ବଲପୁର ଅଞ୍ଚଳରୁ କିଣା ଯାଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ସୂଚନାରୁ ଜଣାପଡ଼ିଛି ।