ପିପିଲି ପୂର୍ବତନ ବିଧାୟକଙ୍କ ଜାମିନ ମାମଲା

Jun 20, 2018 - 20:49
 228
ପିପିଲି ପୂର୍ବତନ ବିଧାୟକଙ୍କ ଜାମିନ ମାମଲା
କଟକ,୨୦ ।୬(ସକାଳଖବର): ପିପିଲି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓରଫ କେଦାରଙ୍କ ଜାମିନ ଆବେଦନ ଉପରେ ଏତଲାକାରୀ ଜବାବ ରଖିବା ପାଇଁ ମହଲତ ନେବାରୁ ଏହି ମାମଲାର ଶୁଣାଣି ଆସନ୍ତା ସୋମବାର ହେବ ବୋଲି ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ କେସ ଡାଏରୀ ଦାଖଲ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭାରତୀ ଦାଶ ମାମଲା ପରିଚାଳନା କରୁଛନ୍ତି । ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିବା ଯୁଧିଷ୍ଠିରଙ୍କ ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଏଠାରେ ସୂଚନାଯୋଗ୍ୟ କୁନ୍ଦୁଲି ଘଟଣାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଜାନୁୟାରୀ ୨୪ତାରିଖରେ ବନ୍ଦ ଡାକରା ଓ ୧୨ଘଣ୍ଟିିଆ ହରତାଳ ଚାଲିଥିବାବେଳେ ପିପିଲି ଅଞ୍ଚଳରେ ଏ ନେଇ ଉଭୟଙ୍କ ରାଲି ବାହାରିଥିଲା । ଏହି ସମୟରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ । ଏହାପରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା ।