ପଛୁଆବର୍ଗଙ୍କ ପାଇଁ ୨୭% ଆରକ୍ଷଣ ଦାବି

May 18, 2018 - 14:13
 190
କଟକ,୧୮ା୫/(ସକାଳଖବର): ରାଜ୍ୟ ପଛୁଆବର୍ଗ ବିକାଶ ମଞ୍ଚର ସଭାପତି କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ କଟକଠାରେ ପଛୁଆବର୍ଗ ପ୍ରତିନିଧିମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିକଟ ଅତୀତରେ ଓଡିଶା ହାଇକୋର୍ଟ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗମାନଙ୍କୁ ୨୭ ପ୍ରତିଶତ ଆରକ୍ଷଣ ଦିଆନଯାଇ ୧୧.୨୫ ପ୍ରତିଶତ ଦିଆଯିବ ବୋଲି ରାୟ ଦିଆଯାଇଥିବାରୁ ଏହା ଉପରେ ଅସନ୍ତୋଷ ପ୍ରକାଶ ପାଇଥିଲା । ମୋଟ ଆରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିବାରୁ ଏବଂ ଓଡିଶାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିମାନଙ୍କୁ ୩୮.୭୫ ପ୍ରତିଶତ ଆରକ୍ଷଣ ଶିକ୍ଷା, ସରକାରୀ ଚାକିରୀରେ ଦିଆଯାଉଥିବାରୁ ପଛୁଆବର୍ଗମାନଙ୍କୁ ୧୧. ୨୫ ପ୍ରତିଶତ ଦିଆଯାଇପାରିବ ବୋଲି ରାଜ୍ୟ ସରକାର ଏବଂ ଓଡିଶା ହାଇକୋର୍ଟ ରାୟ ଦେଇଛନ୍ତି । ଅଥଚ ଓଡିଶାରେ ପଛୁଆବର୍ଗମାନଙ୍କ ସଂଖ୍ୟା ୫୪ ପ୍ରତିଶତ ହୋଇଥିବାବେଳେ ସେମାନଙ୍କୁ ମାତ୍ର ୧୧. ୨୫ ପ୍ରତିଶତ ଆରକ୍ଷଣ ମିଳୁଛି । ଏହା ପଛୁଆବର୍ଗମାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଛି ଓ ସେମାନେ ଏହା ବିରୋଧରେ ପୁଣି ଅଦାଲତ ଯିବେ ବୋଲି ନିଷ୍ପତ୍ତି କରିଛନ୍ତି । ଏଥିପାଇଁ ପଶ୍ଚିମ ଓଡିଶାର ପଛୁଆ ବର୍ଗମାନଙ୍କ ସହ ପରାମର୍ଶ କରିବାର ନିଷ୍ପତ୍ତି କରାଯାଇଥିଲା । ଏହି ବୈଠକରେ ଉକ୍ରଳ ଭାରତର ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ, ଯାଦବ ସମାଜର ଶ୍ରୀଧର ଦାସ, ଅର୍ଜୁନ ମହାକୁଡ, ତୈଳିକ ବୈଶ୍ୟ ସମାଜର ଡ. ଉତ୍ତମ କୁମାର ସାହୁ, ସରୋଜ କୁମାର ସାହୁ, ବଣିଆ ସମାଜର ସଞ୍ଜୟ ମହାରଣା, ଶ୍ୟାମସୁନ୍ଦର ଦାସ, ମଧୁ ବୈଶ୍ୟ ସମାଜର ଦେବେନ୍ଦ୍ର ସାହୁ, ଆଇନଜୀବୀ ପ୍ରଶାନ୍ତ କୁମାର ସାହୁ, କାଚରା ସମାଜର ମହେନ୍ଦ୍ର କୁମାର କାୟସ୍ତ ପ୍ରମୁଖ ଉପସ୍ଥିତ ଥିଲେ ।