ନିର୍ବୁଦ୍ଧିଆ ଜଙ୍ଗଲ ବିଭାଗ, ପ୍ରଯୁକ୍ତି ବିଫଳ

Oct 29, 2018 - 17:43
 170
ନିର୍ବୁଦ୍ଧିଆ ଜଙ୍ଗଲ ବିଭାଗ, ପ୍ରଯୁକ୍ତି ବିଫଳ
ଅନୁଗୁଳ; ୨୯/୧୦ (ସକାଳଖବର): ଅନୁଗୁଳର ସାତକୋଶିଆ ଜଙ୍ଗଲରେ ବ୍ୟାଘ୍ର ସଂରକ୍ଷଣ ପାଇଁ ଗ୍ରହଣ କରାଯାଇଥିବା ପରୀକ୍ଷାମୂଳକ ଆନ୍ତଃରାଜ୍ୟ ବ୍ୟାଘ୍ର ସଂସ୍ଥାପନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବିଫଳ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଘଟିଥିବା ଘଟଣା ପ୍ରବାହକୁ ଅନୁଧ୍ୟାନ କଲେ ଏହି ଯୋଜନାକୁ ରାଜ୍ୟ ଜଙ୍ଗଲ ବିଭାଗ ଅତି ବେପରୁଆ ଭାବେ କାର୍ଯ୍ୟକାରୀ କରିବାକୁ ଯାଇ ଏହାକୁ ବିଫଳତାରେ ପରିଣତ କରିଛନ୍ତି । କ୍ଷେତ୍ର ଜିଲ୍ଲା ଅନୁଗୁଳରୁ ଗୋଟିଏ ପ୍ରକାର ସଙ୍କେତ ଆସୁଥିବାବେଳେ ଭୁବନେଶ୍ୱରେ ବରିଷ୍ଠ ବନ ବିଭାଗ ଅଧିକାରୀ ଆଉ ଗୋଟିଏ କଥା କହୁଛନ୍ତି । ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଭିନ୍ନ କଥା କହୁଛନ୍ତି । ତେଣୁ କାହାରି କାହା ସହ ତାଳମେଳ ନଥାଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି । ଫଳରେ ସଂରକ୍ଷଣ ଯୋଜନା ନାମରେ ସମସ୍ତେ ଭ୍ରମାତ୍ମକ ତଥ୍ୟ ଦେଇ ଏହି ଯୋଜନାରେ ଲକ୍ଷଲକ୍ଷ ଟଙ୍କ ରାଜସ୍ୱ ପାଣିରେ ପକାଇ ଚାଲିଛନ୍ତି । ପ୍ରଥମେ ଏହି ଜଙ୍ଗଲକୁ ଏକ ବାଘ ଅଣାଯାଇଥିଲା ଜଙ୍ଗଲ ମଧ୍ୟରେ ସ୍ୱତନ୍ତ୍ର ଖୁଆଡ଼ ମଧ୍ୟରେ ରଖାଯାଇଥିଲା । ଏହାପରେ ଏକ ବାଘୁଣୀ ଅଣାଯାଇ ଖୁଆଡ଼ ମଧ୍ୟରେ ରଖାଯାଇଥିଲା । ଉଭୟ ଖୁଆଡ଼ ପରସ୍ପରକୁ ଲାଗି ରହିଥିଲା । ବାଘୁଣୀ ରହିବାର କିଛି ଦିନ ପରେ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରଚାର କରାଗଲା ଯେ, ବାଘ- ବାଘୁଣୀ ପରସ୍ପର ନିକଟତର ହେଲେଣି । ଏହା କହି ବାଘୁଣୀକୁ ଜଙ୍ଗଲ ମଧ୍ୟକୁ ଛଡ଼ାଗଲା । ଛଡ଼ାଗଲା ପରେ ବାଘୁଣୀ ହିଂସ୍ରମୁଖୀ ହୋଇଥିଲା । ମଣିଷ ଓ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରିଥିଲା । ଏଥିଯୋଗୁଁ ପ୍ରବଳ ଜନଅସନ୍ତୋଷ ସୃଷ୍ଟି ହୋଇ ଆଇନଶୃଙ୍ଖଳା ପରିସ୍ଥିତି ହୋଇଛି । ବିଭିନ୍ନ ଦିନରେ ଜଙ୍ଗଲ ବିଭାଗ ଅଧିକାରୀ ଭିନ୍ନଭିନ୍ନ କଥା କହୁଛନ୍ତି । ପ୍ରଥମରୁ ସାତକୋଶିଆ ଆଖପାଖ ଗ୍ରାମବାସୀଙ୍କୁ ଏହି ସଂରକ୍ଷଣ କାର୍ଯ୍ୟ ପାଇଁ ବିଶ୍ୱାସକୁ ନିଆଯାଇ ନାହିଁ । ଦ୍ୱିତୀୟତଃ ଉଭୟ ବାଘ- ବାଘୁଣୀଙ୍କ ବ୍ୟବହାର ଓ ଅଚରଣ ସଂପର୍କରେ ପୂର୍ବରୁ ଆବଶ୍ୟକ ଅନୁଧ୍ୟାନ ମଧ୍ୟ ହୋଇନାହିଁ । ପୂର୍ବରୁ ଗ୍ରାମବାସୀ ଏକଥା ଉଠାଇଥିଲେ ମଧ୍ୟ ସେମାନଙ୍କୁ ମାଓବାଦୀ ସମର୍ଥକ ଆଖ୍ୟା ଦିଆଯାଇଥିଲା । ଅଦ୍ୟାବଧି ବାଘୁଣୀ ମଣିଷ ମାରିଛି ବୋଲି ମଧ୍ୟ ବନ ବିଭାଗ ସ୍ୱୀକାର କରିନାହାଁନ୍ତି । ନିଜ ବିଦ୍ୟା ବଳରେ ବଳୀୟାନ ସରକାରୀ ଅଧିକାରୀମାନେ କେବଳ ପୋଥିଗତ ବିଦ୍ୟା ଏବେ କହି ଚାଲିଛନ୍ତି । ବାଘୁଣୀ ୫ ଦିନ ହେଲା କାବୁ ହୋଇପାରୁ ନାହିଁ । ଏଥିରୁ ବନବିଭାଗର ମେଧା ଓ ପ୍ରଯୁକ୍ତି କଣ ତାହା ଜାଣି ହୋଇଯାଉଛି । ବାଘ- ବାଘୁଣୀଙ୍କ ଅବସ୍ଥିତି ଏବେ କଣ ତାହା ବନ ବିଭାଗ କର୍ମଚାରୀ ଜାଣିଛନ୍ତି କି ନାହିଁ ସେଥିନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ସରକାରୀଙ୍କ ଅପାରଗତା ଯୋଗୁଁ ବହୁମୂଲ୍ୟ ମଣିଷ ଜୀବନ ଗଲା । ଏଥିଯୋଗୁଁ ସୃଷ୍ଟି ହେଲା ଜନତାଙ୍କ କ୍ରୋଧ । ବର୍ତ୍ତମାନ ସରକାର କ୍ରେଧୀ ସାଧାରଣ ନାଗରିକଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି, କିନ୍ତୁ ମିଛ କହିଚାଲିଥିବା ଜଙ୍ଗଲ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ ରହିଛି