ନିଃସ୍ୱାର୍ଥପର ସେବା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଯୁବ ସମାଜକୁ ଆହ୍ୱାନ

Feb 27, 2019 - 21:21
 148
ଭୁବନେଶ୍ୱର, ୨୭/୨(ସକାଳଖବର): ସେବା ହିଁ ପରମ ଧର୍ମ । ଏହି ସେବା ଓଡ଼ିଆ ଜାତିକୁ ମହାନ୍ କରିବ । ତେଣୁ ସମାଜର ବିକାଶ ପାଇଁ ନିଃସ୍ୱାର୍ଥପର ସେବା କରିବାକୁ ମୁଖ୍ୟମନ୍ତ୍ରୀ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ । ଆଜି ଖୋର୍ଦ୍ଧାର ଗୋଶାଳା ପଡ଼ିଆଠାରେ ଆୟୋଜିତ ବିଜୁ ଯୁବ ବାହିନୀ ସ୍ୱେଚ୍ଛାସେବୀଙ୍କର ଯୁବ ସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଚାଷୀଙ୍କ ପାଇଁ ଓଡ଼ିଶା ସରକାର ଐତିହାସିକ କାଳିଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ସମସ୍ତ ପ୍ରକାରର ଚାଷୀଙ୍କୁ ସାମିଲ କରାଯାଇ ସହାୟତା ପ୍ରଦାନ କରାଯାଉଛି । ସମ୍ପୃକ୍ତ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ଏପ୍ରିଲ ୧ ଉକ୍ରଳ ଦିବସରେ ଦ୍ୱିତୀୟ କିସ୍ତି ଟଙ୍କା ଦିଆଯିବ । କାଳିଆ ଯୋଜନାରେ ଆମେ ୩୦ ଲକ୍ଷ ଚାଷୀଙ୍କୁ ସହାୟତା ଦେଇସାରିଛୁ । ଆଉ ଦଶଲକ୍ଷ ଚାଷୀଙ୍କୁ ଦିଆଯିବ । ଏହି ଯୋଜନାକୁ ନେଇ କିଛି ଲୋକ ଯେଉଁ ଅପ ପ୍ରଚାର କରୁଛନ୍ତି ତାହା ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ । କାଳିଆ ପାଇଁ ଦିଆ ଯାଉଥିବା ଟଙ୍କା ହେଉଛି ଆପଣ ମାନଙ୍କର ଟଙ୍କା । ଏହି ଟଙ୍କାକୁ ଚାଷ କାର୍ଯ୍ୟରେ ଲଗେଇବେ ବୋଲି ସେ ଆଶା ପ୍ରକଟ କରିଛନ୍ତି । ମିଶନ ଶକ୍ତି ଏବଂ ମା ମାନଙ୍କର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ଗ୍ରହଣ କରିଛନ୍ତି । ମହିଳା ମାନଙ୍କୁ ଜିରୋ ସୁଧରେ ଋଣ ଦିଆଯାଉଛି । ଉଦବୋଧନ ଆରମ୍ଭ କରିବା ପୂର୍ବରୁ କାର୍ଯ୍ୟକ୍ରମକୁ ବିଳମ୍ବରେ ପହଂଚିଥିବା ନେଇ କ୍ଷମାଭିକ୍ଷା କରିଥିଲେ । ଏହି ସମାବେଶରେ ବାଲିଅନ୍ତା, ବାଲିପାଟଣା, ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା, ଟାଙ୍ଗି, ବେଗୁନିଆ, ବୋଲଗଡ଼, ଚିଲିକା ଓ ବାଣପୁର ଅଂଚଳର ବହୁ ଯୁବକ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ପୂର୍ବରୁ ୬୭୧ କୋଟି ୧୮ ଲକ୍ଷ ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିମଧ୍ୟରୁ ୨୦୫ କୋଟି ଟଙ୍କାର ୪୪ଟି ପ୍ରକଳ୍ପକୁ ଉଦଘାଟନ କରିଥିଲା ବେଳେ ୪୬୬ କୋଟି ୧୮ ଲକ୍ଷ ଟଙ୍କାର ୬୧ ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ ।