ଦ୍ବିତୀୟ ଟେଷ୍ଟରେ ଭାରତର ବିପୁଳ ବିଜୟ, ଅଶ୍ବିନ ଏବଂ ବୁମରାହଙ୍କ ଘାତକ ବୋଲିଂ

Mar 14, 2022 - 13:46
 82
ଦ୍ବିତୀୟ ଟେଷ୍ଟରେ ଭାରତର ବିପୁଳ ବିଜୟ, ଅଶ୍ବିନ ଏବଂ ବୁମରାହଙ୍କ ଘାତକ ବୋଲିଂ
ବେଙ୍ଗାଲୁରୁ ୧୪/୦୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟରେ ସହଜ ବିଜୟ ହାସଲ କରିଛି ଭାରତ । ଭ୍ରମଣକାରୀ ଶ୍ରୀଲଙ୍କାକୁ ୨୩୮ରନ୍‌ର ବୃହତ ବ୍ୟବଧାନରେ ପରାଜିତ କରିଛି ଭାରତୀୟ ଦଳ । ଫଳରେ ୨ ଟିକିଆ ସିରିଜ୍‌ରେ ମୂଳପୋଛ ହୋଇଯାଇଛି ଶ୍ରୀଲଙ୍କା । ଅଧିନାୟକ ଦିମୁଥ୍‌ କରୁଣାରତ୍ନେଙ୍କ ଶତକ ସତ୍ବେ ପରାଜିତ ହୋଇଛି ଦଳ । ରବିଚନ୍ଦ୍ରନ ଅଶ୍ବିନ ଏବଂ ଜସପ୍ରୀତ ବୁମରାହ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗିଦେଇଥିଲେ । ଫଳରେ ଆହୁରି ୨ ଦିନ ବାକି ଥାଇ ମ୍ୟାଚ୍ ଜିତିନେଇଛି ଭାରତ । ମ୍ୟାଚ୍‌ ସାରାଂଶ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଶ୍ରେୟସ ଆୟର୍‌ଙ୍କ ୯୨ରନ ବଳରେ ଦଳ ୨୫୨ରନରେ ଅଲଆଉଟ ହୋଇଥିଲା । ଜବାବରେ ଶ୍ରୀଲଙ୍କା ମାତ୍ର ୧୦୯ରନରେ ଅଲଆଉଟ ହୋଇଯାଇଥିଲା । ଆଞ୍ଜେଲୋ ମାଥ୍ୟୁସ୍ ସର୍ବାଧିକ ୪୩ ରନ କରିବାକୁ ସକ୍ଷମ ହୋଇଥିଲେ । ପ୍ରଥମ ଇନିଂସରେ ଶ୍ରୀଲଙ୍କା ଢେର୍‌ ପଛରେ ରହିଯାଇଥିଲା । ତେବେ ଦ୍ବିତୀୟ ଇନିଂସରେ ଭାରତ ୯ ଓ୍ବିକେଟ୍‌ ହରାଇ ୩୦୩ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ରୋହିତ ଶର୍ମା ୪୬ ରନ, ଋଷଭ ପନ୍ତ ୫୦ରନ, ଶ୍ରେୟସ ଆୟର ୬୭ ରନ ବଡ ଇନିଂସ ଖେଳିବାକୁ ସକ୍ଷମ ହୋଇଥିଲେ । ଫଳରେ ଶ୍ରୀଲଙ୍କାକୁ ୪୪୭ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ଦ୍ବିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିଥିବା ଭ୍ରମଣକାରୀ ଦଳ ଆରମ୍ଭରୁ ଲାହିରୁ ଥିରିମାନେଙ୍କ ଓ୍ବିକେଟ ହରାଇଥିଲା । କିନ୍ତୁ ଅଧିନାୟକ ଦିମୁଥ୍‌ କରୁଣାରତ୍ନେ ଚମତ୍କାର ବ୍ୟାଟିଂକରି ଶତକ ହାସଲ କରିଥିଲେ । ସେ ୧୦୭ ରନ କରି ଆଉଟ ହୋଇଥିଲେ । ସେହିଭଳି କୁଶଲ ମେଣ୍ଡିସ୍‌ ୫୪ରନ କରି ଆଉଟ ହୋଇଥିଲେ । ଅନ୍ୟ କୌଣସି ଖେଳାଳି ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଶ୍ରୀଲଙ୍କାର ୯ ଜଣ ବ୍ୟାଟର୍‌ ଦୁଇ ଅଙ୍କ ସ୍କୋର ମଧ୍ୟ କରିପାରିନଥିଲେ । ଦ୍ବିତୀୟ ଇନିଂସରେ ଭାରତ ପକ୍ଷରୁ ବୁମରାହ ୨୩ ରନ ଦେଇ ୩ଟି ଓ୍ବିକେଟ ନେଇଥିବା ବେଳେ, ଅଶ୍ବିନ ୫୫ ରନଦେଇ ୪ଟି, ଜାଡେଜା ୪୮ରନ ଦେଇ ଗୋଟିଏ ଏବଂ ଅକ୍ଷର ପଟେଲ ୩୭ରନ ଦେଇ ୨ଟି ଓ୍ବିକେଟ ନେବାକୁ ସକ୍ଷମ ହୋଇଛନ୍ତି । ମହମ୍ମଦ ସାମୀ ୨୬ରନ ବ୍ୟୟ କରିଛନ୍ତି ।