ଦୀପତଳ ଅନ୍ଧାର: ସରକାରୀ ସୁବିଧାରୁ ବଞ୍ଚିତ ଷଣ୍ଢଡିହ ଗ୍ରାମ

Sep 7, 2021 - 10:27
 76
ଦୀପତଳ ଅନ୍ଧାର: ସରକାରୀ ସୁବିଧାରୁ ବଞ୍ଚିତ ଷଣ୍ଢଡିହ ଗ୍ରାମ
କଟକ : କଟକ ସଦର ବ୍ଲକ ଅଧୀନ ବାରଦା ପଞ୍ଚାୟତ ଷଣ୍ଢଡିହ ଗ୍ରାମ କଟକ ଜିଲ୍ଲାପାଳ ଅଫିସରୁ ୧୬ କିଲୋମିଟର ଦୂର ଓ କମିଶନ ଏରିଆରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ । ଏହି ଗ୍ରାମକୁ ଯିବା ଆସିବା ପାଇଁ ଗମନାଗମର କୌଣସି ସୁବିଧା ନାହିଁ କହିଲେ ଚଳେ । ଏଠାକାର ରାସ୍ତାଘାଟ କଥା ନକହିଲେ ଭଲ । କାଦୁଆ ପଚପଚ ରାସ୍ତାରେ ସାଇକେଲ ନେଇ ଯିବା ମଧ୍ୟ କଠିନ ହେଉଛି । ସେହିରାସ୍ତାରେ ଗାଡି ମୋଟର ଗଳେ ଦୁର୍ଘଟଣାଗ୍ରସ୍ତ ହେବା ଥୟ । ଏ ବାବଦରେ ୨୦୨୦ ମେ ମାସରୁ ଗ୍ରାମର କିଛି ଯୁବକ ନିଜ ଅର୍ଥରେ କିଛି ମାଟି କାମ କରି ଅବହେଳିତ ରାସ୍ତାର ମରାମତି କରିଥିଲେ । ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇବା ପରେ ସଦର ବିଡିଓ, ଆସିଷ୍ଟାଣ୍ଡ ଇଞ୍ଜିନିୟର, ଜେଇ ଆସି ତଦାରଖ କରି ବୁଲୁଦତ୍ତ ଘରଠାରୁ ଆଦିବାସୀ ସାହି ପର୍ଯ୍ୟନ୍ତ ରାସ୍ତା ପାଇଁ ଏନ୍‌ଆର୍‌ଜିଏସ୍ ଯୋଜନା ଅଧିନରେ ୩ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ । ଯାହାକି ୨୦୨୦ ମସିହାରେ ସେଠିକାର କେତେକ ଯୁବକ ଓ ଆଦିବାସୀମାନେ ମିଶି ମାଟିକାମ କରିଥିଲେ । ଯାହାକି ସରକାରୀ ମାପ ହିସାବରେ ଦେଢଲକ୍ଷରୁ ଦୁଇଲକ୍ଷ ଟଙ୍କା ହୋଇଥିବାବେଳେ ସେଥିରୁ ମାତ୍ର ୯୦ହଜାର ଟଙ୍କା ଜବକାର୍ଡଧାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । ବଳକା ଟଙ୍କା ଦୀର୍ଘ ଦେଢ ବର୍ଷ ହେଲାଣି ହିତାଧିକାରୀଙ୍କୁ ମିଳିପାରିନାହିଁ । ଏନେଇ ଗ୍ରାମବାସୀ ବାରମ୍ବାର ସରକାରୀ ଅଧିକାରୀ ଓ ଜନ ପ୍ରତିନିଧି(ସରପଞ୍ଚ)ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଫଳରେ ସେମାନେ ତାଙ୍କର ପ୍ରାପ୍ୟ ପାଇବାରୁ ବଞ୍ଚିତ ଅଛନ୍ତି । ସେହିପରି ଏନ୍‌ଆର୍‌ଜିଏସ୍ ରାସ୍ତା ନିୟମରେ ମାଟି କାମ ପରେ ମୋହରମ ପଡିବା କଥା, କିନ୍ତୁ ସେ ମୋହରମ ଏ ପର୍ଯ୍ୟନ୍ତ ପଡିନାହିଁ । ଯାହା ଦ୍ୱାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।