ତୃତୀୟ ଟେଷ୍ଟ୍ ପୂର୍ବରୁ ବଡ ଅଦଳବଦଳ କରିବ ବିସିସିଆଇ, ଏହି ଖେଳାଳିଙ୍କୁ ମିଳିବ ସୁଯୋଗ !

Jan 10, 2022 - 06:38
 54
ତୃତୀୟ ଟେଷ୍ଟ୍ ପୂର୍ବରୁ ବଡ ଅଦଳବଦଳ କରିବ ବିସିସିଆଇ, ଏହି ଖେଳାଳିଙ୍କୁ ମିଳିବ ସୁଯୋଗ !
ନୂଆଦିଲ୍ଲୀ ୧୦/୦୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ୍ ଜିତିବା ପରେ ଦ୍ୱିତୀୟ ମୁକାବିଲାରେ ହାରିଛି ଟିମ୍ ଇଣ୍ଡିଆ । ଦଳ ଏବେ ତୃତୀୟ ଟେଷ୍ଟ ସହ ସିରିଜ୍ ଜିତିବା ନେଇ ରଣନୀତି ପ୍ରସ୍ତୁତ କରୁଛି । ନିର୍ଣ୍ଣାୟକ ମୁକାବିଲା ପାଇଁ ଦଳ ଅଭ୍ୟାସ ଆରମ୍ଭ କରିଦେଇଛି । ତୃତୀୟ ମୁକାବିଲା ଜାନୁଆରୀ ୧୧ରୁ ୧୫ ଯାଏଁ ଖେଳାଯିବ । ମ୍ୟାଚ୍ ପୂର୍ବରୁ ଅଧିନାୟକ ବିରାଟ କୋହଲି ଫିଟ୍ ହୋଇଛନ୍ତି । ବିସିସିଆଇ ସୋସିଆଲ ମିଡିଆରେ ଅନେକ ଖେଳାଳିଙ୍କ ଅଭ୍ୟାସ ଫଟୋ ପୋଷ୍ଟ କରିଛି । କିନ୍ତୁ ଏଥିରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଦେଖିବାକୁ ମିଳିନାହିଁ । ସେ ଦ୍ୱିତୀୟ ଟେଷ୍ଟରେ ଆହତ ହୋଇଥିଲେ । ତେଣୁ ପୁରା ଓଭର ବୋଲିଂ କରିପାରିନଥିଲେ । ତାଙ୍କ ସ୍ଥାନରେ ତୃତୀୟ ଟେଷ୍ଟରେ ଇଶାନ୍ତ ଶର୍ମାଙ୍କୁ ସୁଯୋଗ ମିଳିପାରେ । କିନ୍ତୁ ସେ ମଧ୍ୟ ଭଲ ଫର୍ମରେ ନାହାଁନ୍ତି । ତେବେ ତାଙ୍କ ପାଖରେ ଶହେରୁ ଅଧିକ ଟେଷ୍ଟ ଖେଳିବାର ଅଭିଜ୍ଞତା ରହିଛି । ଅନ୍ୟମାନଙ୍କ ବ୍ୟତୀତ ଅଭ୍ୟାସ ବେଳେ ହନୁମା ବିହାରୀ ମଧ୍ୟ ନଜର ଆସି ନାହାଁନ୍ତି । ସୂଚନାଯୋଗ୍ୟ, ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ୍ ସିରିଜ ଜିତିବା ଲକ୍ଷ୍ୟରେ ରହିଛି । ଦଳ ସେଞ୍ଚୁରିଆନରେ ପ୍ରଥମ ଟେଷ୍ଟ୍ ମ୍ୟାଚକୁ ୧୧୩ ରନରେ ଜିତି ନେଇଥିଲା । କିନ୍ତୁ ଜୋହାନ୍ସବର୍ଗରେ ୭ ଓ୍ୱିକେଟରେ ପରାସ୍ତ ହୋଇଥିଲା । ଏହି ମୁକାବିଲାରେ ପିଠି ଯନ୍ତ୍ରଣା କାରଣରୁ ବିରାଟ କୋହଲି ଖେଳିନଥିଲେ । ତାଙ୍କ ସ୍ଥାନରେ କେଏଲ ରାହୁଲ ଦଳର ନେତୃତ୍ୱ ନେଇଥିଲେ । ଶନିବାର ତୃତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ କେପଟାଇନରେ ପହଁଚିଥିଲା । କୋଚ୍ ରାହୁଲ ଦ୍ରାବିଡ ନିର୍ଣ୍ଣାୟକ ମୁକାବିଲାରେ ବିରାଟ କମ୍ ବ୍ୟାକ୍ କରିବେ ବୋଲି ଆଶା ପ୍ରକଟ କରିଥିଲେ । କୋହଲି ସାମିଲ ହେଲେ ହନୁମା ବିହାରୀ କିମ୍ବା ଆଜିଙ୍କ୍ୟ ରାହାଣେଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସିବାକୁ ହେବ । ଉଭୟ ବ୍ୟାଟସମ୍ୟାନ୍ ଦ୍ୱିତୀୟ ଟେଷ୍ଟରେ ଭଲ ପାଳି ଖେଳିଥିଲେ । ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସାଇବା ମ୍ୟାନେଜମେଣ୍ଟ ପାଇଁ ସହଜ ନିଷ୍ପତ୍ତି ହେବ ନାହିଁ ।