ଟି୨୦ରେ ଶହେତମ ମୁକାବିଲା ଖେଳିବେ ବିରାଟ

Aug 28, 2022 - 07:51
 60
ଟି୨୦ରେ ଶହେତମ ମୁକାବିଲା ଖେଳିବେ ବିରାଟ
ଦୁବାଇ ୨୮/୦୮: ପାକିସ୍ତାନ ବିପକ୍ଷ ମୁକାବିଲା ସହ ବିରାଟ କୋହଲି ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ୧୦୦ତମ ମ୍ୟାଚ୍‌ ଖେଳିବେ । କୋହଲି ବିଶ୍ୱର ଦ୍ୱିତୀୟ ଖେଳାଳି ଭାବେ ସବୁ ଫର୍ମାଟ୍‌ରେ ୧୦୦ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି । ଚଳିତ ବର୍ଷ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳି କୋହଲି ୧୦୦ତମ ଟେଷ୍ଟ ପୂରଣ କରିଥିଲେ । କେବଳ ନ୍ୟୁଜିଲାଣ୍ଡର ରସ ଟେଲର ସବୁ ଫର୍ମାଟ୍‌ରେ ୧୦୦ରୁ ଉଦ୍ଧ୍ୱର୍ ମ୍ୟାଚ୍‌ ଖେଳିଛନ୍ତି । କେବଳ ସେତିକି ନୁହେଁ, ରୋହିତ ଶର୍ମାଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ଭାବେ ସେ ୧୦୦ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଖେଳିବାକୁ ଯାଉଛନ୍ତି । ରେହିତ ୧୩୨ଟି ଟି-ଟ୍ୱେଣ୍ଟି ଖେଳିସାରିଛନ୍ତି । ଟି-ଟ୍ୱେଣ୍ଟିରେ କୋହଲି ୯୩ଟି ଛକା ମାରି ସାରିଛନ୍ତି । ସେ ଏସିଆ କପ୍‌ରେ ୧୦୦ ଛକା ପୂରଣ କରିବାର ସୁଯୋଗ ରହିଛି । ୨୦୧୭ ପରଠୁ ଭାରତ ଓ ପାକିସ୍ତାନ ପରସ୍ପରକୁ ୬ଥର ଭେଟିଛନ୍ତି । ଏଥିରୁ ଭାରତ ୪ଟି ମ୍ୟାଚ୍‌ ଜିତିଛି । ୪ଟି ମ୍ୟାଚ୍‌ରେ ରୋହିତଙ୍କ ପ୍ରଦର୍ଶନ ବେଶ୍‌ ଉନ୍ନତ ରହିଛି । ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ସେ ୧୧୯ ବଲ୍‌ରୁ ୯୧ ରନ୍‌ କରିଥିଲେ । ଏହାପରେ ୨୦୧୮ ଏସିଆ କପ୍‌ରେ ସେ ୩୯ଟି ବଲରୁ ୫୨ ଓ ୧୧୯ଟି ବଲ୍‌ରୁ ଅପରାଜିତ ୧୧୧ ରନ୍‌ କରିଥିଲେ । ୨୦୧୯ ବିଶ୍ୱକପ୍‌ରେ ସେ ୧୧୩ ଟି ବଲ୍‌ରୁ ୧୪୦ ରନ୍‌ ସଂଗ୍ରହ କରିଥିଲେ । ଏସିଆ କପ୍‌ରେ ଭାରତ ପକ୍ଷରୁ ସର୍ବାଧିକ ରନ୍‌ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି । ସେ ୬ଟି ଏସିଆ କପ୍‌ରେ ୨୩ଟି ମ୍ୟାଚ୍‌ ଖେଳି ମୋଟ୍‌ ୯୭୧ ରନ୍‌ ସଂଗ୍ରହ କରିଛନ୍ତି । ରୋହିତ ଶର୍ମା ୬ଟି ଏସିଆ କପରେ ୨୭ଟି ମ୍ୟାଚ୍‌ ଖେଳି ୮୮୩ ରନ ସଂଗ୍ରହ କରିଛନ୍ତି । ସେ ଆଉ ୮୮ ରନ୍‌ କଲେ ସଚିନଙ୍କୁ ଅତିକ୍ରମ କରିବେ । ବିରାଟ କୋହଲି ଏସିଆ କପ୍‌ରେ ୧୬ଟି ମ୍ୟାଚ୍‌ ଖେଳି ୭୬୬ ରନ୍‌ ସଂଗ୍ରହ କରିଛନ୍ତି । ୨୦୧୮ ସଂସ୍କରଣରେ ସେ ଖେଳି ନଥିଲେ । ୨୦୧୬ ସଂସ୍କରଣରେ କୋହଲି ଶେଷ ଥର ପାଇଁ ଖେଳିଥିଲେ । ସେତେବେଳେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିଅନ୍‌ ହୋଇଥିଲା । ଏସିଆ କପ୍‌ରେ ସର୍ବାଧିକ ରନ୍‌ ରେକର୍ଡ ଶ୍ରୀଲଙ୍କାର ସନଥ ଜୟସୂରିୟାଙ୍କ ନାମରେ ରହିଛି । ସେ ୨୫ଟି ମ୍ୟାଚ୍‌ରୁ ୬ ଶତକ ସହ ମୋଟ୍‌ ୧୨୨୦ ରନ୍‌ କରିଛନ୍ତି । କୁମାର ସାଙ୍ଗାକାରା ୨୪ଟି ମ୍ୟାଚ୍‌ ଖେଳି ୧୦୭୫ ରନ୍‌ ସଂଗ୍ରହ କରିବା ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପାକିସ୍ତାନର ସୋହେବ ମଲିକ ୨୧ଟି ମ୍ୟାଚ୍‌ ଖେଳି ୯୦୭ ରନ୍‌ କରିଛନ୍ତି ।