ଛାତ୍ର କଂଗ୍ରେସର ହଲ୍ଲାବୋଲ, କଂଗ୍ରେସ ଭବନରେ ପଶି ପିଟିଲା ପୁଲିସ୍‌

Dec 10, 2021 - 10:04
 89
ଛାତ୍ର କଂଗ୍ରେସର ହଲ୍ଲାବୋଲ, କଂଗ୍ରେସ ଭବନରେ ପଶି ପିଟିଲା ପୁଲିସ୍‌
ଭୁବନେଶ୍ୱର : ମମିତା ହତ୍ୟା ମାମଲାକୁ ନେଇ ଥମିବା ନାଁ ଧରୁନି ଝଡ଼। ଗୋଟିଏ ପଟେ ୧୦ ଦିନ ହେଲାଣି ଗୃହ ସ୍ୱାଭାବିକ ହୋଇପାରୁ ନ ଥିବା ବେଳେ ରାସ୍ତା ଉପରେ ବି ଗର୍ଜୁଛନ୍ତି ବିରୋଧୀ। ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗତକାଲି ଯୁବ ବିଜେପି ପକ୍ଷରୁ ରଣହୁଙ୍କାର ଦିଆଯାଇଥିବା ବେଳେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଦିଆଯାଇଥିଲା ହଲ୍ଲାବୋଲ ଡାକରା। ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ର କଂଗ୍ରେସର ଶତାଧୀକ କର୍ମୀ ବିଧାନସଭା ମୁହାଁ ହେଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇ ଥିଲା। ତେଣୁ ଉଭୟ ପକ୍ଷରେ ମଧ୍ୟରେ ବେଶ୍ କିଛି ସମୟ ଧରି ଠେଲାପେଲା ହୋଇଥିଲା। ଛାତ୍ର କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପୁଲିସ୍ ଲାଠିଚାର୍ଜ କରିଥିଲା। ଗୋଡ଼ାଇ ଗୋଡ଼ାଇ ପୁଲିସ୍ ସେମାନଙ୍କୁ ପିଟିଥିଲା। ଏମିତିକି ମାଡ଼ ଭୟରେ କଂଗ୍ରେସ ଭବନ ଭିତରେ ପଶି ଯାଇଥିବା କର୍ମୀମାନଙ୍କୁ ବି ପୁଲିସ୍ ପିଟିଥିବା ଅଭିଯୋଗ ହୋଇଛି। ପୁଲିସ୍ ମାଡ଼ରେ ଅନେକ କର୍ମୀଙ୍କୁ ଆଘାତ ଲାଗିଛି। କିଛି ଜଣଙ୍କ ମୁଣ୍ଡ ବି ଫାଟିଛି। ପୁଲିସ୍‌ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରି ଛାତ୍ର କଂଗ୍ରେସ କର୍ମୀ ମାଷ୍ଟର କ୍ୟାଣ୍ଟିନରେ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି। ମମିତା ମେହରକୁ ନ୍ୟାୟ ଦେବାକୁ ଦାବି କରି ଗୃହ ରାଜ୍ୟ ମନ୍ତ୍ରୀଙ୍କ ବହିଷ୍କାର ନିମନ୍ତେ ଆଜି ଛାତ୍ର କଂଗ୍ରେସ ହଲ୍ଲାବୋଲ ଡାକରା ଦେଇଥିଲା। ଶତାଧିକ ସଂଖ୍ୟାରେ ଛାତ୍ର କଂଗ୍ରେସ କର୍ମୀ ରାଜରାସ୍ତାକୁ ଓହ୍ଲାଇ ବିଧାନସଭା ମୁହାଁ ହୋଇଥିଲେ। ସେମାନେ ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ ଫାଟକ ଯାଏ ଚାଲି ଯାଇଥିଲେ। ପୁଲିସ୍‌ ଉପରକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଅଣ୍ଡା ଓ ଟମାଟୋ ମାଡ଼ କରିଥିବା ବେଳେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ୍‌। ପୁଲିସ୍‌ର ଦମନଲୀଳାରେ ବହୁ କଂଗ୍ରେସ କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଏପରିକି କେତେକ ମହିଳା କଂଗ୍ରେସ କର୍ମୀଙ୍କ ଉପରେ ମଧ୍ୟ ଲାଠି ମାଡ଼ ହୋଇଥିବା ଜଣାଯାଇଛି। ପୁଲିସ୍‌ ସହ ଛାତ୍ର କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିବା ବେଳେ କିଛି କର୍ମୀଙ୍କୁ ଗିରଫ କରାଯାଇଛି। ନବୀନଙ୍କ ନିର୍ଦ୍ଦେଶରେ କଂଗ୍ରେସ କର୍ମୀଙ୍କୁ ପୁଲିସ୍‌ ପିଟିଥିବା ଅଭିଯୋଗ ଆଣିଲେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି।