ଖାଲ ପାଇଁ ବଦଳିଲା ରୋଭର୍‌ର ଗତିପଥ: ୪ ମିଟର ଲମ୍ବ, ୧୦୦ ମିମି ଗଭୀର

Aug 29, 2023 - 05:55
 16
ଖାଲ ପାଇଁ ବଦଳିଲା ରୋଭର୍‌ର ଗତିପଥ: ୪ ମିଟର ଲମ୍ବ, ୧୦୦ ମିମି ଗଭୀର
ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞା ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ବୁଲି ବୁଲି ତଥ୍ୟ ସଂଗ୍ରହ କରୁଛି। ଏହି ଅଞ୍ଚଳ ଖାଲଖମା ଓ ଆଗ୍ନେୟଗିରି ଗର୍ତ୍ତରେ ପରିପୂର୍ଣ୍ଣ। ଏଗୁଡ଼ିକ ରୋଭର ପାଇଁ ବିପଦ। କାରଣ ରୋଭର ପରି ଛଅ ଚକାବିଶିଷ୍ଟ ଛୋଟିଆ ଯନ୍ତ୍ର ତା’ ଭିତରେ ପଡ଼ିଗଲେ ଆଉ ଉଠି କାମ କରିବା କଷ୍ଟକର। କିନ୍ତୁ ରୋଭର ଏହିପରି ଏକ ବାଧା ଅତିକ୍ରମ କରି ଇସ୍ରୋ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟରତ ବୈଜ୍ଞାନିକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ଚନ୍ଦ୍ରର ଗୋଟିଏ ଦିନ ବା ପୃଥିବୀର ୧୪ ଦିନର କାର୍ଯ୍ୟ ଅବଧି ଭିତରେ ତାକୁ ଏହିପରି ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଇସ୍ରୋ କହିଛି। ରୋଭର ସାମ୍ନା କରିଥିବା ଗର୍ତ୍ତର ବ୍ୟାସ ୪ ମିଟର ହୋଇଥିବା ବେଳେ ଗଭୀରତା ୧୦୦ ମିଲିମିଟର। ଗତ ୨୭ ତାରିଖରେ ରୋଭର ପ୍ରଥମେ ଏହି ବାଧାର ସମ୍ମୁଖୀନ ହୋଇଥିଲା। ଗର୍ତ୍ତ ନିକଟକୁ ରୋଭର ଯିବାକୁ ମାତ୍ର ୩ ମିଟର ବାଟ ବାକି ଥିବାବେଳେ ଇସ୍ରୋର ବୈଜ୍ଞାନିକମାନେ ଏହା ଜାଣିପାରିଥିଲେ। ସେମାନେ ତୁରନ୍ତ ରୋଭରକୁ ଏହାର ଗତିପଥ ପରିବର୍ତ୍ତନ କରି ସୁରକ୍ଷିତ ପଥ ବାଛିବା ପାଇଁ କମାଣ୍ଡ ଦେଇଥିଲେ। ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ ପି ବୀରମୁଥୁଭେଲ କହିଛନ୍ତି, ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ତା’ର ବୈଜ୍ଞାନିକ ପରୀକ୍ଷଣ ଜାରି ରଖିଛି ଏବଂ ଆଗକୁ ମଧ୍ୟ ଭଲ ଫଳାଫଳ ମିଳିବ ବୋଲି ପ୍ରତ୍ୟୟ ସୃଷ୍ଟି ହୋଇଛି। ତେବେ ଶତାଧିକ ଇସ୍ରୋ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ବିନା ତାହା ସମ୍ଭବ ନୁହେଁ। ସେମାନେ ପ୍ରଜ୍ଞାର ଗତିବିଧିକୁ ନିୟନ୍ତ୍ରଣ କରୁଛନ୍ତି। ୟୁଆର୍‌ଏସ୍‌ସି ନିର୍ଦ୍ଦେଶକ ଏମ୍ ଶଙ୍କରନ ଏବଂ ଇସ୍ରୋର ପରିଚାଳନା ମଣ୍ଡଳୀ ଏଥିପାଇଁ ଆବଶ୍ୟକ ମାର୍ଗଦର୍ଶନ କରୁଛନ୍ତି। ଏଠୁ ନିୟନ୍ତ୍ରଣ ନ କଲେ ପ୍ରଜ୍ଞା ଆପେ ଆପେ କିଛି କରିପାରିବ ନାହିଁ, କାରଣ ତାହା ସମ୍ପୂର୍ଣ୍ଣରୂପେ ସ୍ବୟଂକ୍ରିୟ ନୁହେଁ। ପ୍ରତି ୫ ଘଣ୍ଟାରେ ରୋଭରର କାର୍ଯ୍ୟକଳାପ ଯାଞ୍ଚ କରାଯାଉଛି। ରୋଭର ପଏଣ୍ଟ ଏ’ରୁ ପଏଣ୍ଟ ବି’କୁ ଯିବା ଭିତରେ ଅନେକ ଷ୍ଟେପ୍ ରହିଛି। ଏହା କେଉଁ ଦିଗକୁ ଯିବ ବା ନ ଯିବ ତାହା ଏଇଠୁ ସ୍ଥିର କରାଯାଉଛି। ରୋଭରରେ ଲାଗିଥିବା ନେଭିଗେସନ କ୍ୟାମେରା ତଥ୍ୟ ଡାଉନଲୋଡ କରି ଏକ ଡିଜିଟାଲ ଏଲିଭସେନ ମଡେଲ (ଡିଇଏମ୍) ସୃଷ୍ଟି କରାଯାଉଛି। ତା’ପରେ କଣ୍ଟ୍ରୋଲ ରୁମ୍‌ର ଟିମ୍ ସ୍ଥିର କରୁଛନ୍ତି ପ୍ରଜ୍ଞା କୁଆଡ଼କୁ ଯିବ। ପ୍ରତିଥର ଏହାକୁ ୫ ମିଟର ପର୍ଯ୍ୟନ୍ତ ଯିବା ପାଇଁ ଆଦେଶ ଦିଆଯାଉଛି। ସେହି ୫ ମିଟରର ତଥ୍ୟ ସଂଗ୍ରହ କରିବା ପରେ ତାକୁ ଆଉ ୫ ମିଟର ଯିବାକୁ ଆଦେଶ ଦିଆଯାଉଛି। ଏହାର ପଥରେ ପ୍ରଥମ ବାଧା ସ୍ବରୂପ ଏକ ଗର୍ତ୍ତ ପଡ଼ିଲା, ଯାହାକୁ ଏଡ଼ାଇବା ପାଇଁ ତା’ର ଗତି ବଦଳାଇବାକୁ ନିର୍ଦ୍ଦେଶ ଦିଆଗଲା। ଆଗକୁ ମଧ୍ୟ ବାଧା ଆସିବ ଏବଂ ତାକୁ ଅତିକ୍ରମ କରି ପ୍ରଜ୍ଞା ଦ୍ବାରା ଚନ୍ଦ୍ରପୃଷ୍ଠ ଉପରେ ପରୀକ୍ଷଣ କାର୍ଯ୍ୟ ଜାରି ରଖାଯିବ ବୋଲି ବୀରମୁଥୁଭେଲ କହିଛନ୍ତି।