କିଙ୍ଗ୍ସଠୁ ରୟାଲ୍ସର ପରାସ୍ତ

May 9, 2018 - 13:05
 195
କିଙ୍ଗ୍ସଠୁ ରୟାଲ୍ସର ପରାସ୍ତ
ଜୟପୁର,: ଆଇପିଏଲ୍-୧୧ର ୪୦ତମ ମ୍ୟାଚ୍ରେ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ୧୫ ରନ୍ରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବକୁ ପରାସ୍ତ କରିଛି। ଏଥି ସହ ରୟାଲ୍ସ ଗୋଟିଏ ଦିନ ପରେ କିଙ୍ଗ୍ସଠୁ ହାରିବାର ମଧୁର ପ୍ରତିଶୋଧ ନେଇଛି। ରବିବାର ଇନ୍ଦୋରରେ ପଞ୍ଜାବ ୬ ଓ୍ଵିକେଟ୍ରେ ରାଜସ୍ଥାନକୁ ପରାସ୍ତ କରିଥିଲା। ମଙ୍ଗଳବାର କିନ୍ତୁ ୧୫୯ ରନ୍ ବିଜୟ ଲକ୍ଷ୍ୟରେ ପହଞ୍ଚି ପାରିନଥିଲା। ଉଭୟ ନିଜ ନିଜ ଦଶମ ମ୍ୟାଚ୍ ଖେଳିଥିବା ବେଳେ ରାଜସ୍ଥାନ ଚତୁର୍ଥ ବିଜୟ ଓ ପଞ୍ଜାବ ଚତୁର୍ଥ ପରାଜୟ ବରଣ କରିଛି। ବିଜୟ ସହ ରାଜସ୍ଥାନ ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ କରିଛି। ଜୟପୁରର ସବାଇ ମାନସିଂହ ଷ୍ଟାଡିୟମ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିବା ରାଜସ୍ଥାନ ରୟାଲ୍ସ ଆଶାଜନକ ଭାବେ ବଡ଼ ସ୍କୋର୍ କରିପାରିନଥିଲା। ଇଂଲିସ୍ ତାରକା ଜୋସ୍ ବଟ୍ଲର୍ (୮୨, ୫୮ ବଲ୍, ୯ ଚୌକା, ୧ ଛକା) ଗୋଟିଏ ପାର୍ଶ୍ୱରେ ଆକ୍ରମଣ ଜାରି ରଖିଥିଲେ ମଧ୍ୟ ଅପରପାର୍ଶ୍ୱରେ ରୟାଲ୍ସର ଓ୍ଵିକେଟ୍ ପତନ ଧାରା ଜାରି ରହିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ (୯), କ୍ରିଷ୍ଣାପ୍ପା ଗୌତମ (୮), ସଂଜୁ ସାମସନ୍ ୨୨, ବେନ୍ ଷ୍ଟୋକ୍ସ ୧୪, ଷ୍ଟୁଆର୍ଟ ବିନ୍ନି ୧୧, ସଂଘର୍ଷ କରିବା ଦଳର ପ୍ରଥମେ ବ୍ୟାଟିଂ ଯୋଜନାକୁ ପଣ୍ଡ କରି ଦେଇଥିଲା। ବଟ୍ଲର୍ ୨୭ ବଲ୍ରୁ ଅର୍ଧଶତକ ପୂର୍ଣ୍ଣ କରିଥିଲେ। ଆଫଗାନ ସ୍ପିନର୍ ମୁଜିବ୍ ଉର୍ ରହମାନ୍ ରାୟାଲ୍ସର ଦୁଇ ବଡ଼ ଖେଳାଳି ବଟ୍ଲର୍ ଓ ସାମସନ୍ଙ୍କୁ ଆଉଟ୍ କରି କିଛି ସମୟ ପାଇଁ ଅଗ୍ରଣୀ ବୋଲର୍ ପାଲଟିଥିଲେ। ଏହା ପରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଆଣ୍ଡ୍ରିଉ ଟାଇ ରୟାଲ୍ସକୁ ସମ୍ଭାବ୍ୟ ବଡ଼ ସ୍କୋର୍ରୁ ରୋକିଥିଲେ। ୪ଟି ଓ୍ଵିକେଟ୍ ଦଖଲ କରିବା ସହିତ ସେ ଗୋଟିଏ ରନ୍ ଆଉଟ୍ରେ ସମ୍ପୃକ୍ତ ରହିଥିଲେ। ରୟାଲ୍ସ ୧୫୮/୮ରେ ସୀମିତ ରହିଥିଲା। ଟାଇ ଚଳିତ ଋତୁରେ ନିଜର ଶ୍ରେଷ୍ଠ ବୋଲିଂ ଚିତ୍ର (୪-୦-୩୪-୪) ପାଇଥିଲେ। ଜବାବରେ ପଞ୍ଜାବ ପାଓ୍ଵାର ପ୍ଳେ ୬ ଓଭର ଭିତରେ ୩ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। କ୍ରିସ୍ ଗେଲ୍ (୧) ଏବଂ ଆର୍ ଅଶ୍ୱିନ୍ (୦)ଙ୍କୁ ଲଗାତାର ବଲ୍ରେ ଆଉଟ୍ କରି କର୍ଣ୍ଣାଟକ ଅଫସ୍ପିନର୍ କ୍ରିଷ୍ଣାପ୍ପା ଗୌତମ ପଞ୍ଜାବକୁ ଯୁଗଳ ଝଟ୍କା ଦେଇଥିଲେ। ଟେ୍ଵଣ୍ଟି-୨୦ର ରାଜା ବିବେଚିତ ଗେଲ୍ଙ୍କୁ ଗୌତମ ଏକ ଓ୍ଵାଇଡ୍ ବଲ୍ରେ ଷ୍ଟମ୍ପିଂ କରାଇ ନେଇଥିଲେ। ଏହା ପରେ ବ୍ୟାଟିଂ ପଦୋନ୍ନତି ସହ ଆସିଥିବା ଅଧିନାୟକ ଅଶ୍ୱିନ୍ଙ୍କୁ ଗୌତମ ବୋଲ୍ଡ କରି ଦେଇଥିଲେ। ଚତୁର୍ଥ ଓଭରରେ କରୁଣ ନାୟାର (୩)ଙ୍କୁ ବାର୍ବାଡସ୍ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ପ୍ୟାଭିଲିଅନ୍ ରାସ୍ତା ଦେଖାଇଦେବା ପରେ ପଞ୍ଜାବ ୧୯/୩ରେ ପହଞ୍ଚିଯାଇଥିଲା। ଉତ୍ତରପ୍ରଦେଶ ଯୁବ ପ୍ରତିଭା ଆକାଶଦୀପ ନାଥ (୯, ୧୩ ବଲ୍) ପଦାର୍ପଣରେ ବିଫଳ ହୋଇଥିଲେ। ଦୁଇ ଅନ୍ତର୍ଜାତୀୟ ଅଭିଜ୍ଞ ମନୋଜ ତିଓ୍ଵାରୀ (୭) ଓ ଅକ୍ଷର ପଟେଲ୍ (୯) ବି ନିରାଶ କରିଥିଲେ। ଫଳରେ ପଞ୍ଜାବ ୧୪ ଓଭର ବେଳକୁ ୮୧/୬ରେ ସଂଘର୍ଷ କରିଥିଲା। ପାଳି ସାରା ଖେଳିଥିଲେ ମଧ୍ୟ ଲୋକେଶ ରାହୁଲ୍ (୯୫ଞ୍ଚ, ୭୦ ବଲ୍, ୧୧ ଚୌକା, ୨ ଛକା) ପଞ୍ଜାବକୁ ବିଜୟୀ କରିପାରିନଥିଲେ। ନିଜର ଚତୁର୍ଥ ଅର୍ଧଶତକ ସହିତ ରାହୁଲ (୪୭୧ ରନ୍) ମଧ୍ୟ କମଳା ଟୋପି ପରିଧାନ କରିଥିଲେ। ରାଜସ୍ଥାନର ୨ ସ୍ପିନର୍ ଈଶ ସୋଢ଼ୀ (୪-୦-୧୪-୧) ଏବଂ କ୍ରିଷ୍ଣାପ୍ପା ଗୌତମ (୩-୦-୧୨-୨) ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲେ। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର କିନ୍ତୁ ନେଇଥିଲେ ଜୋସ୍ ବଟ୍ଲର୍।