କାର୍ ରେସିଂ ବେଳେ ଭୟଙ୍କର ଦୁର୍ଘଟଣା, ଷ୍ଟାର୍ କାର୍ ରେସର୍‌ଙ୍କ ମୃତ୍ୟୁ

Jan 9, 2023 - 10:39
 38
କାର୍ ରେସିଂ ବେଳେ ଭୟଙ୍କର ଦୁର୍ଘଟଣା, ଷ୍ଟାର୍ କାର୍ ରେସର୍‌ଙ୍କ ମୃତ୍ୟୁ
ଚେନ୍ନାଇ: କାର୍ ରେସିଂ ଚାମ୍ପିଅନ୍‌ସିପ୍ ବେଳେ ଭୟଙ୍କର ଦୁର୍ଘଟଣା। ଟ୍ରାକ୍‌ରୁ ଖସି ଅନ୍ୟ କାର୍ ସହ ବାଢ଼େଇ ହେଲା କାର୍। ଫଳରେ ଷ୍ଟାର୍ କାର୍ ରେସର୍‌ଙ୍କ ମୃତ୍ୟୁ ଘଟିଛି। ତାମିଲନାଡୁର ରାଜଧାନୀ ଚେନ୍ନାଇର ଈରୁଙ୍ଗତୁକୋଟ୍ଟଇରେ। ମାଦ୍ରାସ ଇଣ୍ଟରନ୍ୟାସନାଲ ସର୍କିଟ୍‌ରେ ଜିରୋ ଏମ୍‌ଆର୍‌ଏଫ୍ ଏମ୍‌ଏମ୍‌ଏସ୍‌ସି ଏଫ୍‌ଏମ୍‌ଏସ୍‌ସିଆଇ ଇଣ୍ଡିଆନ୍ ନ୍ୟାସନାଲ କାର୍ ରେସିଂ ଚାମ୍ପିଅନ୍‌ସିପ୍ ଚାଲିଥିଲା। ଏହି ସମୟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଏଥିରେ ୫୯ ବର୍ଷୀୟ ଷ୍ଟାର୍ ରେସ୍‌ର କେ.ଇ କୁମାରଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟର ଲାଇଭ୍ ଫୁଟେଜ ୟୁଟ୍ୟୁବରେ ଷ୍ଟ୍ରିମିଂ ହୋଇଥିଲା। ସୂଚନା ମୁତାବକ, ରେସିଂ ଇଭେଣ୍ଟ ବେଳେ କାର୍ ଟ୍ରାକ୍‌ରୁ ଖସି ଯାଇଥିଲା। ଏହାପରେ କାର୍‌ଟି ଓଲଟି ପଡି ଅନ୍ୟ କାର୍ ସହ ଧକ୍କା ହୋଇଥିଲା। ଏହାପରେ ରାସ୍ତାକଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଧକ୍କା ଯୋଗୁଁ କାର୍‌ଟି ଖଣ୍ଡବିଖଣ୍ଡିତ ହୋଇଯାଥିଲା। ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ରେସିଂକୁ ଅଧାରୁ ଅଟକାଇବାକୁ ପଡିଥିଲା। ସେପଟେ ଦୁର୍ଘଟଣା ପରେ କାର୍ ଭିତରୁ କେ.ଇ କୁମାରଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଜରିଆରେ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା। କିନ୍ତୁ ସେଠାରେ ସେ ପ୍ରାଣ ହରାଇଥିଲେ। କାର୍ଯ୍ୟକ୍ରମର ଅଧ୍ୟକ୍ଷ ବିଭି ଚଣ୍ଡୋକଙ୍କ କହିବା ମୁତାବକ, ଏହା ବେଶ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। କୁମାର ଜଣେ ଅଭିଜ୍ଞ ରେସର୍ ଥିଲେ। ସେପଟେ ପୁଲିସ ବେପରୁଆ ଗାଡି ଚଳାଇବାକୁ ନେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।