କାର୍‌ ଦୁର୍ଘଟଣାରେ କ୍ରିକେଟର୍‌ ଋଷଭ ପନ୍ତ ଆହତ; ଡିଭାଇଡର୍‌ରେ ଧକ୍କା ଖାଇ ଜଳିଗଲା କାର୍‌

Dec 30, 2022 - 07:34
 51
କାର୍‌ ଦୁର୍ଘଟଣାରେ କ୍ରିକେଟର୍‌ ଋଷଭ ପନ୍ତ ଆହତ; ଡିଭାଇଡର୍‌ରେ ଧକ୍କା ଖାଇ ଜଳିଗଲା କାର୍‌
ନୂଆଦିଲ୍ଲୀ: ଆଜି ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ଆସୁଥିବା ବେଳେ ସଡ଼କ ଡିଭାଇଡର୍‌ରେ ଧକ୍କାଖାଇ କାର୍‌ରେ ନିଆଁ ଲାଗିଯିବାରୁ ଭାରତୀୟ କ୍ରିକେଟ୍‌ ଖେଳାଳି ଋଷଭ ପନ୍ତ ଆହତ ହୋଇଛନ୍ତି। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ, ପନ୍ତ୍‌ ତାଙ୍କ ମର୍ସିଡିଜ୍‌ କାର୍‌ ଚଳାଇ ଆସୁଥିବା ବେଳେ ଉତ୍ତରାଖଣ୍ଡର ରୂଡ଼କୀ ଅନ୍ତର୍ଗତ ନର୍ସାନ୍‌ ସୀମାନ୍ତ ନିକଟ ହମ୍ମାଦ୍‌ପୁର ଝାଲ୍‌ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଡାକ୍ତରମାନଙ୍କ କହିବା ଅନୁସାରେ, ପନ୍ତଙ୍କ କପାଳ ଓ ଗୋଡ଼ରେ ଆଘାତ ଲାଗିଛି। ସୂଚନା ପାଇବା ପରେ ଦେହାତ୍‌ର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସ୍ବପ୍ନା କିଶୋର ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ। ‘ସକ୍ଷମ ହସ୍ପିଟାଲ୍‌’ର ଅଧ୍ୟକ୍ଷ ଡାକ୍ତର ସୁଶୀଳ ନାଗର କହିଛନ୍ତି ଯେ, ସମ୍ପ୍ରତି ଋଷଭ ପନ୍ତ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ରୂଡ୍‌କୀରୁ ଦିଲ୍ଲୀକୁ ରେଫର୍‌ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଋଷଭ ପନ୍ତଙ୍କ କାର୍‌ ରେଲିଙ୍ଗ୍‌ରେ (ରାସ୍ତା ମଝିରେ ଥିବା ବାଡ଼ା) ଧକ୍କା ଖାଇବା ପରେ ନିଆଁ ଲାଗିଯାଇଥିଲା। ବହୁ କଷ୍ଟରେ ନିଆଁ ଲିଭାଗଲା। ଦୁର୍ଘଟଣାରେ ସାଂଘାତିକ ଆହତ ହୋଇଥିବା ପନ୍ତଙ୍କୁ ମଧ୍ୟ ଦିଲ୍ଲୀ ରୋଡ୍‌ସ୍ଥିତ ‘ସକ୍ଷମ ହସ୍ପିଟାଲ୍‌’କୁ ନିଆଯାଇଥିଲା। ଉତ୍ତରାଖଣ୍ଡ ପୁଲିସ ମହାନିର୍ଦେଶକ ଅଶୋକ କୁମାର ସୁନିଶ୍ଚିତ କରି କହିଛନ୍ତି ଯେ, ଦୁର୍ଘଟଣା ସମୟରେ ପନ୍ତ କାର୍‌ରେ ଏକାକୀ ଥିଲେ। କାର୍‌ରେ ନିଆଁ ଲାଗିଯିବାରୁ ସେ ସାମନା କାଚ ଭାଙ୍ଗି ବାହାରି ଆସିଥିଲେ। ତାଙ୍କ ମୁଣ୍ଡ, ଆଣ୍ଠୁ ଓ ଆଣ୍ଠୁ ତ‌ଳକୁ ଆଘାତ ଲାଗିଛି। ତାଙ୍କ ଗୋଡ଼ ଭାଙ୍ଗି ଯାଇଥାଇ ପାରେ। ସମ୍ପ୍ରତି ତାଙ୍କୁ ଡେରାଡୁନ୍‌ସ୍ଥିତ ମ୍ୟାକ୍ସ୍‌ ହସ୍ପିଟାଲ୍‌କୁ ନିଆଯାଉଛି। କାର୍‌ ଚଳାଉଥିବା ବେଳେ ଢୁଳାଇ ପଡ଼ିବାରୁ ଦୁର୍ଘଟଣା ଘଟଲା ବୋଲି ପନ୍ତ୍‌ କହିଛନ୍ତି।