କଲେଜିୟମ ମିଟିଂର ତଥ୍ୟ ଦିଅ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

Dec 9, 2022 - 10:19
 49
କଲେଜିୟମ ମିଟିଂର ତଥ୍ୟ ଦିଅ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ୨୦୧୮ ମସିହା ଡିସେମ୍ବର ୧୨ରେ ବସିଥିବା କଲେଜିୟମ ମିଟିଂର ବିସ୍ତୃତ ତଥ୍ୟ ଦେବାକୁ କରାଯାଇଥିବା ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ଆରଟିଆଇ ଜରିଆରେ ବୈଠକ ସମ୍ପର୍କରେ ତଥ୍ୟ ମାଗିଥିଲେ। ବୈଠକରେ କ’ଣ ସବୁ ହୋଇଥିଲା ଓ କେଉଁ ଆଧାରରେ ବିଚାରପତି ପଦ ପାଇଁ ନାଁ ସୁପାରିସ କରାଯାଇଥିଲା, ସେବାବଦରେ ଆବେଦନକାରୀ ତଥ୍ୟ ମାଗିଥିଲେ। କିନ୍ତୁ ସର୍ବୋଚ୍ଚ ଅଦାଲତ ଏହି ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। କଲେଜିୟମ ହେଉଛି ଏକାଧିକ ସଦସ୍ୟ ଥିବା ଗୋଟିଏ ସଂସ୍ଥା। ଏହାର ବୈଠକରେ କ’ଣ ସବୁ ଆଲୋଚନା ହେଲା, ସେସବୁ ସାର୍ବଜନୀନ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ କହିଛନ୍ତି, କେବଳ ବୈଠକରେ ଆସିଥିବା ସଂକଳ୍ପ ଓ କଲେଜିୟମରେ ଥିବା ସବୁ ସଦସ୍ୟଙ୍କ ଦସ୍ତଖତକୁ ଚୂଡ଼ାନ୍ତ ନିଷ୍ପତ୍ତି ବୋଲି ବିବେଚନା କରିବାକୁ ପଡ଼ିବ। ଆଲୋଚନା ବେଳେ ଅନେକ ପ୍ରସଙ୍ଗ ଆସେ। ଯେଉଁ ପର୍ଯ୍ୟନ୍ତ ବିଚାରବିମର୍ଶ ଦ୍ୱାରା କଲେଜିୟମର ସବୁ ସଦସ୍ୟ ଦସ୍ତଖତ କରିନାହାନ୍ତି, ସେଯାଏ ଏହାକୁ ଚୂଡ଼ାନ୍ତ ନିଷ୍ପତ୍ତି ବୋଲି କୁହାଯାଇ ପାରିବ ନାହିଁ। ଜଣେ ପୂର୍ବତନ କଲେଜିୟମ ସଦସ୍ୟ(ଜଷ୍ଟିସ ମଦନ ବି ଲୋକୁର)ଙ୍କ ମନ୍ତବ୍ୟ ଉପରେ ଆବେଦନଟି ପର୍ଯ୍ୟବେସିତ। ସେ ଦୁଇ ଜଣ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପ୍ରମୋସନ ସମ୍ପର୍କରେ ଅଭିଯୋଗ ଆଣିଥିଲେ। ଜଣେ ପୂର୍ବତନ ବିଚାରପତିଙ୍କ ମନ୍ତବ୍ୟର କୌଣସି ମୂଲ୍ୟ ନାହିଁ। କାରଣ ଆଲୋଚନା କଲେଜିୟମର ନିଷ୍ପତ୍ତି ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ଆବେଦନକାରୀ ଅଞ୍ଜଳି ଭରଦ୍ୱାଜା ୨୦୧୮ ମସିହା ଡିସେମ୍ବର ୧୨ରେ କଲେଜିୟମ ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲେ। ତତ୍କାଳୀନ ସିଜେଆଇ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ବସିଥିବା କଲେଜିୟମ ବୈଠକରେ ଜଷ୍ଟିସ ମଦନ ବି ଲୋକୁର, ଜଷ୍ଟିସ ଏକେ ସିକ୍ରୀ, ଜିଷ୍ଟିସ ଏସଏ ବୋବଡେ ଓ ଜଷ୍ଟିସ ଏନଭି ରମନା ରହିଥିଲେ।