ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼

Aug 11, 2022 - 08:49
 46
ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼
ନୂଆଦିଲ୍ଲୀ, ୧୧|୦୮: ଗୁରୁବାର ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ଼। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧନଖଡ଼ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ବୁଧବାର ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ ଦଳର ବରିଷ୍ଠ ନେତା ସାମିଲ ହୋଇଥିଲେ । ସୂଚନାନୁସାରେ, ଗତ ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହୋଇଥିଲା। ନିର୍ବାଚନରେ ଧନଖଡ଼ଙ୍କୁ ୫୨୮ ଭୋଟ୍ ମିଳିଥିଲା ଏବଂ ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲ୍ ଭାଙ୍କୁ ୧୮୨ ଭୋଟ୍ ମିଳିଥିଲା। ଶନିବାର ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦର ମୋଟ୍ ୭୮୦ ସାଂସଦଙ୍କ ମଧ୍ୟରୁ ୭୨୫ ସାଂସଦ ମତାଧିକାର ସାବ୍ୟସ୍ତ କରିଥିଲେ। ଟିଏମସିର ୩୪ ସାଂସଦ, ଏସପି ଏବଂ ଶିବସେନାର ଦୁଇ ଜଣ ଏବଂ ବିଏସପିର ଜଣେ ସାଂସଦ ଭୋଟିଂରୁ ବିରତ ରହିଥିଲେ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା ଏବଂ ଏହାର ଘଣ୍ଟାଏ ପରେ ଅର୍ଥାତ ୬ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ନିକଟରେ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସହଜ ବିଜୟ ହାସଲ କରିଥିଲେ। ସେ ମିଳିତ ବିରୋଧୀ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ ହରାଇ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ବି ଏନଡିଏ ବାଜିମାତ୍ କରିଛି।