ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ
କଲମପୁର, ୨୫/୪(ସକାଳଖବର): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ନିକଟରେ ବୁଧବାର ବିଳମ୍ବିତ ରାତ୍ରୀରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଆରଡି ୨୭.୬୮୦ ସାଇପନର ଦକ୍ଷିଣ ପାଶ୍ୱର୍ରେ ଏକ ଗର୍ତ ସୃଷ୍ଟି ହୋଇଥିଲା । ଫଳରେ କେନାଲ ପାଣି ସାଇପନ ଦେଇ ନିକଟସ୍ଥ ପଣ୍ଡିଗାଁର ବସ୍ତିପଡା ମଧ୍ୟ ଦେଇ ପ୍ରବାହିତ ହୋଇଥିଲା । ଏହା ଜାଣିପାରି ଗ୍ରାମବାସୀ ଇନ୍ଦ୍ରାବତୀ କର୍ତୃପକ୍ଷଙ୍କୁ ଜଣେଇଥିଲେ । ଖବର ପାଇ ପ୍ରଥମେ ମଙ୍ଗଳପୁର ବ୍ୟାରେଜ ଏବଂ ବନ୍ଧକନା ଫାଟକକୁ ବନ୍ଦ କରି ଦକ୍ଷିଣ ମୁଖ୍ୟ କେନାଲର ପାଣିକୁ କମେଇବା ପାଇଁ ବିଭାଗିୟ ଅଧିକାରୀମାନେ ଚେଷ୍ଟା କରିଥିଲେ । ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଡିଭିଜନର କଲମପୁର ସହକାରୀ ନିର୍ବାହୀ ଯନ୍ତ୍ରୀ -୨ ନେଲସନ ତାଣ୍ଡି, ମୁଖିଗୁଡା ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ, ଚିଲିଗୁଡା ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇ, ଜୁନାଗଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକ, ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ କୁମାର ସେଠୀ, କନିଷ୍ଠ ଯନ୍ତ୍ରୀ ପ୍ରହଲ୍ଲାଦ ହେମ୍ବ୍ରମ ପ୍ରମୁଖ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ସୃଷ୍ଟି ହୋଇଥିବା ଗର୍ତକୁ ବନ୍ଦ କରିବା ପାଇଁ ସେଠାରେ ପାଳ ବିଡା ଏବଂ ବାଲିବସ୍ତା ପକାଇ ଅସ୍ଥାୟୀ ଭାବେ ବନ୍ଦ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କେନାଲ ପାଣି ସାଇପନ ଦେଇ ପଣ୍ଡିଗାଁ ବସ୍ତି ପଡା ମଧ୍ୟ ଦେଇ ପ୍ରବାହିତ ହେଉଥିବାରୁ ଗ୍ରାମର ଗୈାର ଚନ୍ଦ୍ର ମାଝୀ, ସୁଦର୍ଶନ ମାଝୀ, ଚନ୍ଦ୍ର ମାଝୀ, ହେମନ୍ତ ମାଝୀ, ଶିବରାମ ମାଝୀ, ପ୍ରଭାଷ ମାଝୀ, ଅନନ୍ତ ମାଝୀ, ନିର୍ମଳ ମାଝୀ, ପରମେଶ୍ୱର ଶରାଫଙ୍କ ଘର ନିକଟ ଦେଇ ପାଣି ପ୍ରବାହିତ ହେଉଛି । ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି । ଦକ୍ଷିଣ ମୁଖ୍ୟ କେନାଲ ତଳେ ଥିବା ଏହି ବସ୍ତି ବାସିନ୍ଦା ବର୍ଷାଦିନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କେନାଲର ଝର ଜଳ ପଶି ସେମାନଙ୍କ ଘରସବୁ ସନ୍ତ ସନ୍ତିଆ ରହୁଥିବା ବେଳେ ବର୍ଷ ବର୍ଷ ଧରି ମୁଖ୍ୟ କେନାଲକୁ ମରାମତି କରାଯାଉନାହିଁ । ଯାହା ଫଳରେ ଏଭଳି ପରିସ୍ଥିତି ବାରମ୍ବାର ସୃଷ୍ଟି ହେଉଛି । ପ୍ରାୟ ୧୫୦ ପରିବାର ଏଠାରେ ଆତଙ୍କିତ ଅବସ୍ଥାରେ ରହୁଥିବାରୁ ସେମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଦାବି ହୋଇଛି । ବସ୍ତି ବାସିନ୍ଦାଙ୍କ ନିମନ୍ତେ ଏନେଇ କୌଣସି ସ୍ଥାୟୀ ସମାଧାନ କରାନଗଲେ ସେମାନେ ବାଧ୍ୟ ହୋଇ ଆନ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି । କେନାଲ ତଳେ ଥିବା ଭବାନୀ ଶଙ୍କର ବେହେରାଙ୍କ ଚାଷ ଜମିଦେଇ କେନାଲ ଜଳ ପ୍ରବାହିତ ହେଉଥିବାରୁ କେଣ୍ଡା ବାହାରିଥିବା ଅବସ୍ଥାରେ ଥିବା ଧାନ ଚାଷ ପ୍ରଭାବିତ ହୋଇଥିବା ବେଳେ ବାଟି ମାଝୀ, ଶୁରେନ୍ଦ୍ର ମାଝୀ, ମଙ୍ଗନିଆଁ ମାଝୀ, ସିଦେ୍ଧଶ୍ୱର ମାଝୀଙ୍କ ଧାନ ଚାଷ ପ୍ରଭାବିତ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । କଲମପୁର ରାଜସ୍ୱ ନିରୀକ୍ଷକ ଗୋବିନ୍ଦ ଚନ୍ଦ୍ର ପୁରୋହିତ ପଣ୍ଡିଗାଁରେ ପହଂଚି କ୍ଷୟକ୍ଷତିର ଆକଳନ କରିଛନ୍ତି ।
କେନାଲ ମରାମତି ସମ୍ପର୍କରେ କଲମପୁର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ବର୍ତମାନ ବାଲି ବସ୍ତାଦେଇ ଅସ୍ଥାୟୀ ଭାବେ ମରାମତି କରୁଛୁ । ରବିଚାଷ ଚାଲିଥିବାରୁ ସ୍ଥାୟୀ ମରାମତି ସମ୍ଭବ ହେଉନାହିଁ । ଆଉ କିଛି ଦିନ ପରେ ରବିଚାଷ ସରିଲା ପରେ ସ୍ଥାୟୀ ମରାମତି କରାଯିବ ବୋଲି କହିଛନ୍ତି ।